ସବୁଜ ଶକ୍ତି କ୍ଷେତ୍ରରେ ଟିପିଡବ୍ଲୁଓଡିଏଲ୍‌ର ନୂଆ ରେକର୍ଡ, ଜୁଲାଇ ମାସରେ ୮,୦୦୦ରୁ ଅଧିକ ନୂତନ ରୁଫଟପ୍ ସୋଲାର ପ୍ୟାନେଲ୍ ସ୍ଥାପନ

14

୧୧ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତା ପାଉଛନ୍ତି ଶୂନ୍ୟ ୟୁନିଟ୍ ବିଜୁଳି ବିଲ୍; ନୂଆପଡ଼ା ଜିଲ୍ଲା ଶୀର୍ଷରେ

ବୁର୍ଲା, ୧୯ ଅଗଷ୍ଟ ୨୦୨୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପଶ୍ଚିମ ଓଡ଼ିଶାରେ ସବୁଜ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରାଯିବା ଫଳରେ କମ୍ପାନୀ ଏକ ବଡ଼ ସଫଳତା ହାସଲ କରିପାରିଛି । କମ୍ପାନୀ ପକ୍ଷରୁ ଗତ ଜୁଲାଇ ମାସରେ ସର୍ବାଧିକ ୮,୨୯୮ଟି ରୁଫ୍‌ଟପ୍ ସୋଲାର ପ୍ୟାନେଲ୍ ସ୍ଥାପନ କରାଯାଇ ଏକ ନୂଆ ରେକର୍ଡ ସୃଷ୍ଟି କରାଯାଇ ପାରିଛି ।

ଏହି ସଫଳତାରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ୩,୩୯୫ଟି ଏବଂ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପ୍ରଚଳିତ ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ୟୁଏଲ୍ଏ) ମଡେଲ୍ ଜରିଆରେ ୪,୯୦୩ଟି ରୁଫ୍‌ଟପ୍ ସୋଲାର ପ୍ୟାନେଲ୍ ସ୍ଥାପନ ସାମିଲ ରହିଛି । ଏହା ପୂର୍ବରୁ ମେ ୨୦୨୬ରେ ମୋଟ ୫,୩୭୩ଟି ରୁଫ୍‌ଟପ୍ ସୋଲାର ପ୍ୟାନେଲ୍ ସ୍ଥାପନ ହୋଇଥିଲା । କେବଳ ୟୁଏଲ୍ଏ ମଡେଲ୍ ଅଧୀନରେ ଜୁଲାଇ ମାସରେ ୪,୯୦୩ଟି ରୁଫ୍‌ଟପ୍ ସୋଲାର ସଂଯୋଗ କରାଯାଇଛି, ଯାହା ମେ ମାସର ୩,୫୧୮ ରେକର୍ଡକୁ ପଛରେ ପକାଇ ଏହି ମଡେଲର ସଫଳତା ପ୍ରମାଣିତ କରିଛି ।

ଏହି ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, “ଗୋଟିଏ ମାସରେ ୮,୨୯୮ଟି ରୁଫ୍‌ଟପ୍ ସୋଲାର ସଂଯୋଗ ସ୍ଥାପନ କରିବା ଆମ ପାଇଁ ଏକ ମାଇଲଖୁଣ୍ଟ । ଏହା ରୁଫ୍‌ଟପ୍ ସୋଲାର ପ୍ରତି ଉପଭୋକ୍ତାଙ୍କ ବଢ଼ୁଥିବା ବିଶ୍ୱାସର ପ୍ରତୀକ । ଉପଭୋକ୍ତାଙ୍କ ସକ୍ରିୟ ଅଂଶଗ୍ରହଣ, ଆମ ଫିଲ୍ଡ ଟିମ୍, ସବୁଜ ଶକ୍ତି ଅଧିକାରୀ ଏବଂ ସହଯୋଗୀମାନଙ୍କ ନିରନ୍ତର ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ବିଶେଷ କରି ଅଧିକ ସଂଖ୍ୟକ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ ହେବା ପ୍ରମାଣ କରୁଛି ଯେ, ରୁଫ୍‌ଟପ୍ ସୋଲାର ସାଧାରଣ ଘରୋଇ ଖର୍ଚ୍ଚ କମାଇବାରେ କେତେ ପ୍ରଭାବଶାଳୀ । ଆମେ ପଶ୍ଚିମ ଓଡ଼ିଶାରେ ସୌରଶକ୍ତି ଆପଣାଇବା ପ୍ରକ୍ରିୟାକୁ ଆହୁରି ସହଜ କରି ଭାରତର ସ୍ୱଚ୍ଛ ଶକ୍ତି ଯାତ୍ରାରେ ଅଧିକରୁ ଅଧିକ ଘରକୁ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିବୁ ।”

ଜିଲ୍ଲାସ୍ତରୀୟ ପ୍ରଦର୍ଶନରେ ନୂଆପଡ଼ା ଜିଲ୍ଲା ଶୀର୍ଷରେ ରହିଛି । ଜୁଲାଇ ମାସରେ ନୂଆପଡ଼ାରେ ୧,୫୦୯ଟି ରୁଫ୍‌ଟପ୍ ସୋଲାର ସଂଯୋଗ ହୋଇଛି, ଯାହା ମେ ମାସର ୧,୪୮୯ ରେକର୍ଡକୁ ଅତିକ୍ରମ କରିଛି । ଜୁଲାଇ ୨୦୨୬ ସୁଦ୍ଧା ନୂଆପଡ଼ା ଜିଲ୍ଲାରେ ମୋଟ ୭,୬୪୩ ଉପଭୋକ୍ତା ରହିଥିବା ବେଳେ ସେଥିମଧ୍ୟରୁ ୟୁଏଲ୍ଏ ମଡେଲ୍ ଅଧୀନରେ ୫,୫୧୯ଟି ସଂଯୋଗ ହୋଇ ଏହା ସମଗ୍ର ପଶ୍ଚିମ ଓଡ଼ିଶାରେ ଅଗ୍ରଣୀ ଜିଲ୍ଲା ପାଲଟିଛି ।

ଜୁଲାଇର ଉଲ୍ଲେଖନୀୟ ସଫଳତା ପଶ୍ଚିମ ଓଡ଼ିଶାରେ ଟିପିଡବ୍ଲୁଓଡିଏଲ୍‌ର ରୁଫ୍‌ଟପ୍ ସୋଲାର ସଂଯୋଗକୁ ଏକ ନୂଆ ଗତି ଦେଇଛି । ଜୁଲାଇ ୨୦୨୬ ସୁଦ୍ଧା ସମଗ୍ର ବିତରଣ କ୍ଷେତରେ ମୋଟ ରୁଫ୍‌ଟପ୍ ସୋଲାର ଉପଭୋକ୍ତାଙ୍କ ସଂଖ୍ୟା ୪୫,୧୦୩କୁ ବୃଦ୍ଧି ପାଇଛି, ଯେଉଁଥିରେ କେବଳ ୟୁଏଲ୍ଏ ମଡେଲ୍ ମାଧ୍ୟମରେ ୧୭,୦୬୩ଟି ସ୍ଥାପନ ହୋଇଛି । ମୋଟ ରୁଫ୍‌ଟପ୍ ସୋଲାର ଉପଭୋକ୍ତାଙ୍କ ସଂଖ୍ୟା କ୍ଷେତ୍ରରେ ବରଗଡ଼ (୭,୮୨୩) ଆଗରେ ରହିଥିବା ବେଳେ ଏହା ପଛକୁ ନୂଆପଡ଼ା (୭,୬୪୩) ଏବଂ ସୁନ୍ଦରଗଡ଼ (୬,୬୫୧) ରହିଛି ।

ରୁଫ୍‌ଟପ୍ ସୋଲାର ଆପଣାଇବା ଦ୍ୱାରା ଉପଭୋକ୍ତାମାନେ ସିଧାସଳଖ ଆର୍ଥିକ ଲାଭ ପାଉଛନ୍ତି । ଏପର୍ଯ୍ୟନ୍ତ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ରେ ୮,୨୫୭ ଜଣ ଏବଂ ୟୁଏଲ୍ଏ ମଡେଲ୍ ମାଧ୍ୟମରେ ୨,୯୭୯ ଜଣ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ ହୋଇପାରିଛି । ଏହିପରି ମୋଟ ୧୧,୦୦୦ରୁ ଅଧିକ ପରିବାର ଶୂନ ବିଲ୍‌ର ସୁବିଧା ପାଇଛନ୍ତି, ଯାହା ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ସହ ଘରୋଇ ବିଜୁଳି ଖର୍ଚ୍ଚ କମାଇବାରେ ସୌରଶକ୍ତିର ବଡ଼ ସାମର୍ଥ୍ୟକୁ ପ୍ରତିଫଳିତ କରୁଛି ।

ଜୁଲାଇ ମାସର ଏହି ଐତିହାସିକ ସଫଳତା ରୁଫ୍‌ଟପ୍ ସୋଲାର ର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟକୁ ସାକାର କରିବାରେ ଟିପିଡବ୍ଲୁଓଡିଏଲ୍‌ର ଭୂମିକାକୁ ଆହୁରି ମଜଭୁତ କରିଛି। ଏହାଦ୍ୱାରା ସାଧାରଣ ପରିବାରଗୁଡ଼ିକ ଦେଶର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସିଧାସଳଖ ଭାଗିଦାର ହୋଇପାରୁଛନ୍ତି ।

ଉପଭୋକ୍ତାଙ୍କ ବର୍ଦ୍ଧିତ ସଚେତନତା, ସରଳ ପଞ୍ଜୀକରଣ ପ୍ରକ୍ରିୟା ଏବଂ ତୃଣମୂଳ ସ୍ତରରେ ସୁପରିଚାଳନା ଯୋଗୁଁ ଟିପିଡବ୍ଲୁଓଡିଏଲ୍ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ ଓ ୟୁଏଲ୍ଏ ମଡେଲ୍ ଜରିଆରେ ପଶ୍ଚିମ ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ସଂଯୋଗକୁ ଆହୁରି ବ୍ୟାପକ କରି ଚାଲିଛି ।

Leave A Reply

Your email address will not be published.