ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ

0

ଚମ୍ପୁଆ (chitta ranjan kar) :ଚମ୍ପୁଆ ବିଧାନସଭା ଆସନ ପାଇଁ କଂଗ୍ରେସରୁ ଟିକଟ ପାଇଥିବା ଯଦୁମଣି ବାରିକଙ୍କ ଗାଡିରୁ ଆଜି ପୋଲିସ ନଗଦ ଟଙ୍କା ଜବତ କରିଥିବାର ସୂଚନା ମିଳିଛି । ଯଦୁମଣିଙ୍କ ନାଲି ରଂଗର ହ୍ୟୁଣ୍ଡାଇ କାର ନମ୍ବର ଓଡି ୦୨ ଏବି ୭୧୮୨ ରୁ ୧ ଲକ୍ଷ ୯୪ ହଜାର ଟଙ୍କା ଜବତ୍ କରାଯାଇଥିବାର ସୂଚନା ରହିଛି । ପୋଲିସ ସ୍କ୍ୱାର୍ଡ ତନଖି କରିବା ସମୟରେ ଏହି ଟଙ୍କାକୁ ଜବତ୍ କରିଛି। ଚମ୍ପୁଆ ବିଧାନସଭା ଆସନ ପାଇଁ ଯଦୁମଣି କଂଗ୍ରେସରୁ ଦଳୀୟ ଟିକଟ ପାଇସାରିଛନ୍ତି । ଯଦୁମଣି  ଆଜି ପୂର୍ବାହ୍ନରେ ଭଦ୍ରାସାହିରୁ ଏହି କାର ଯୋଗେ ଚମ୍ପୁଆ ଅଭିମୁଖେ ଯାଉଥିବା ସମୟରେ  ଚମ୍ପୁଆ ଥାନା ଶଙ୍କରପୁର ନିକଟରେ ଫ୍ଲାଇଂ ସ୍କ୍ୱାର୍ଡ ହାତରେ ଧରା ପଡ଼ିଥିବାର ଜଣାପଡ଼ିଛି। ଉକ୍ତ ଗାଡ଼ିରେ କିଛି କଂଗ୍ରେସ ଦଳୀୟ ପତାକା ମଧ୍ୟ ଥିବାର ଦେଖିବାକୁ ମିଳିଥିଲା। ତେବେ ଏତେ ଟଙ୍କା ଧରି ଯଦୁମଣି କୁଆଡ଼େ ଯାଉଥିଲେ ସେ ନେଇ ଚମ୍ପୁଆ ପୋଲିସ ପଚରା ଉଚୁରା କରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ତେବେ ଏହି ଟଙ୍କାକୁ ସେ ଗତ ୨୬ ତାରିଖ ଦିନ ଭଦ୍ରାସାହି ସ୍ଥିତ ଷ୍ଟେଟ ବ୍ୟାଙ୍କରୁ ଉଠାଣ କରିଥିବା କହିଥିଲେ। ଏ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ଜବତ୍ ଟଙ୍କାକୁ ଟ୍ରେଜେରୀରେ ଜମା କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.