ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍ପିଙ୍କ ଦ୍ୱାରସ୍ଥ ହେଲା ବିଜେଡି
ଝାରସୁଗୁଡ଼ା, ୧୭/୦୮: ଝାରସୁଗୁଡ଼ା ଜିଲ୍ଲାରେ ଚାଲିଥିବା ଏସଆଇଆର୍ (ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଜାଲ୍ ଅଭିଯୋଗ ଓ ମିଥ୍ୟା ତଥ୍ୟ ଦାଖଲ କରି ଅସଲି ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗରେ ଦଳର ଏକ ପ୍ରତିନିଧିମଣ୍ଡଳ ସୋମବାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି।
ଦାବିପତ୍ରରେ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏସଆଇଆର୍ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ଦିନରେ ସର୍ବାଧିକ ୧୦ଟି ଆପତ୍ତି ଦାଖଲ କରିପାରିବେ। କିନ୍ତୁ କେତେକ ବ୍ୟକ୍ତି ଏହି ସୀମା ଉଲ୍ଲଂଘନ କରି ୧୦ରୁ ଅଧିକ ଆପତ୍ତି ଦାଖଲ କରୁଥିବା ଦଳ ଅଭିଯୋଗ କରିଛି। ଏପରିକି କେତେକ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତି ସାଧାରଣ ଭୋଟରଙ୍କ ନାମ କାଟିବା ଉଦ୍ଦେଶ୍ୟରେ ମିଥ୍ୟା ଅଭିଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।
କୋଲାବିରା ଓ ବଡ଼ମାଲ ଥାନାରେ ଏନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରୁନଥିବା ଅଭିଯୋଗ କରି ବିଜେଡି ଅସନ୍ତୋଷ ପ୍ରକାଶ କରିଛି। ଭୋଟର ତାଲିକାରେ ମିଥ୍ୟା ତଥ୍ୟ ଦାଖଲ ସମ୍ପର୍କିତ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଦୋଷୀଙ୍କ ବିରୋଧରେ ତୁରନ୍ତ ଏଫ୍ଆଇଆର୍ ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି।
ଏଥିସହ ଥାନାକୁ ଆସୁଥିବା ଅଭିଯୋଗର ସଠିକ୍ ରେକର୍ଡ ରଖିବା ସହ ଅଭିଯୋଗକାରୀଙ୍କୁ ଲିଖିତ ରସିଦ ପ୍ରଦାନ କରିବା ଏବଂ କୌଣସି ନିର୍ଦ୍ଦୋଷ ନାଗରିକ ଯେପରି ନିଜର ମତଦାନ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ଦୀପାଳି ଦାସ ଓ ବିଜେଡି ପକ୍ଷରୁ ଏସ୍ପିଙ୍କ ନିକଟରେ ନିବେଦନ କରାଯାଇଛି।
ଦାବିପତ୍ର ପ୍ରଦାନ ସମୟରେ ବିଜେଡି ଜିଲ୍ଲା ସଭାପତିଙ୍କ ସମେତ ବରିଷ୍ଠ ନେତା ତାପସ ରାୟ ଚୌଧୁରୀ, ଜୟନ୍ତୀ ବାହୁକ, ରାନୀ ହାତୀ, ସଂଜିତ ନାୟକ, ରଘୁମଣି ପଟେଲ, ପ୍ରତାପ ନନ୍ଦ, ପିଣ୍ଟୁ ପାଢ଼ୀ, ଅଶୋକ ଦାସ, ଆଲୋକ ତ୍ରିପାଠୀ, ତୁଳସୀ ଦାସ, ପୱନ ସିଂ ଯାଦବ, ମଦନ ହାତୀ, ଶିବାଶିଷ ପଟ୍ଟନାୟକ, ରବି ରୋହିଦାସ ଓ ଥବିର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।