- ୨୦୧୦୦ ଫୁଟ ଶିଖର ଆରୋହଣ କଲେ ଦେଶର ପ୍ରଥମ ମହିଳା ପର୍ବତାରୋହୀ ଦଳ
ଭୁବନେଶ୍ୱର, ୧୬ ଅଗଷ୍ଟ ୨୦୨୬:ଓଡ଼ିଶାର ପର୍ବତାରୋହଣ ଓ ଦୁଃସାହସିକ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶାର ୧୧ ଜଣିଆ ମହିଳାଙ୍କୁ ନେଇ ଗଠିତ ଦେଶର ପ୍ରଥମ ମହିଳା ପର୍ବତାରୋହୀ ଦଳ ହିମାଚଳ ପ୍ରଦେଶର ମାଉଣ୍ଟ ୟୁନମ ଆରୋହଣ କରିଛନ୍ତି । ଏହି ଦଳରୁ ୫ ଜଣ ମହିଳା ପର୍ବତାରୋହୀ ସ୍ୱାଧୀନତା ଦିବସ ଅବସରରେ ୨୦,୧୦୦ ଫୁଟ ଉଚ୍ଚ ମାଉଣ୍ଟ ୟୁନମ ଶିଖରରେ ଜାତୀୟ ପତାକା ଉଡାଇଛନ୍ତି।
ସ୍ୱାଧୀନତା ଦିବସ ଅବସରରେ ମାଉଣ୍ଟ ୟୁନମ ଶିଖରରେ୮୦ ମିଟର ଲମ୍ବ ତ୍ରିରଙ୍ଗାଉଡାଇ ଦେଶପ୍ରେମ ଓ ଜାତୀୟ ଗୌରବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ତ୍ରିରଙ୍ଗାଶିଖରରେ ଉତ୍ତୋଳନ କରିବାର ଏହି ମୁହୂର୍ତ୍ତ ସମଗ୍ର ଦଳ ପାଇଁ ଅତ୍ୟନ୍ତ ଗୌରବ ଓ ଭାବବିହ୍ୱଳତାର ମୁହୂର୍ତ୍ତ ଥିଲା।
ଆସୋସିଏସନ୍ ଫର୍ ଆଡ୍ଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (AASA) ଏବଂ ରାଜ୍ୟର ଅଗ୍ରଣୀ ବିଜ୍ଞାପନ, ଡିଜିଟାଲ୍ ଓ ଇଭେଣ୍ଟ୍ ମ୍ୟାନେଜମେଣ୍ଟ ସଂସ୍ଥା ସଙ୍କେତ କମ୍ୟୁନିକେସନ୍ସର ମିଳିତ ସହଯୋଗରେ ଏହି ଅଭିଯାନ ଅଗଷ୍ଟ ୭ ତାରିଖରେ ଭୁବନେଶ୍ଵରରୁ ଆରମ୍ଭ ହୋଇଥିଲା ।
ଏଭେରେଷ୍ଟ ଆରୋହୀଗଣେଶ ଜେନାଙ୍କ ତତ୍ତ୍ୱାବଧାନରେଏବଂଅନିତା ସ୍ୱାଇଁଙ୍କ ନେତୃତ୍ୱରେ ଓଡ଼ିଶାରୁ ୧୧ ଜଣିଆ ମହିଳା ଦଳ ମାଉଣ୍ଟ ୟୁନମ ଆରୋହଣ ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଥିଲେ। ଦୁର୍ଗମ ହିମାଳୟ ପରିବେଶ, ଅତ୍ୟଧିକ ଉଚ୍ଚତା ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦଳର ସଦସ୍ୟମାନେ ଦୃଢ଼ ମନୋବଳ, ଶୃଙ୍ଖଳା ଓ ଦଳଗତ ସହଯୋଗର ପରିଚୟ ଦେଇଥିଲେ। ଦଳର ଅନ୍ୟ ୩ ଜଣ ସଦସ୍ୟ ମଧ୍ୟ ଶିଖରର ଅତି ନିକଟରେ ପହଞ୍ଚିଥିଲେ; କିନ୍ତୁ ଅସୁସ୍ଥତା କାରଣରୁ ସେମାନେ ଶେଷ ପର୍ଯ୍ୟାୟରେ ଶିଖରରେ ପହଞ୍ଚି ପାରିନଥିଲେ।
ଦଳନେତ୍ରୀଅନିତା ସ୍ୱାଇଁକହିଛନ୍ତି, “ମାଉଣ୍ଟ ୟୁନମ ଆମ ପାଇଁ କେବଳ ଏକ ପର୍ବତ ଶିଖର ନୁହେଁ; ଏହା ଓଡ଼ିଶାର ମହିଳାଙ୍କ ସାହସ, ଆତ୍ମବିଶ୍ୱାସ ଓ ଦୃଢ଼ ସଙ୍କଳ୍ପର ପ୍ରତୀକ। ଶୂନ୍ୟ ଦୁର୍ଘଟଣାରେ ଅଭିଯାନ ସଫଳ ହେବା ଆମ ପାଇଁ ଗର୍ବର ବିଷୟ।”
‘ଆଶା’ର ସମ୍ପାଦକ ତଥା ଏଭେରେଷ୍ଟ ଆରୋହୀଗଣେଶ ଜେନାକହିଛନ୍ତି ଯେ ଦୀର୍ଘ ପ୍ରଶିକ୍ଷଣ, ଫିଟ୍ନେସ୍, ସହନଶୀଳତା ଓ ଉଚ୍ଚତା ଅନୁକୂଳନ ଏହି ସଫଳତାର ମୁଖ୍ୟ ଆଧାର।
ସଙ୍କେତ କମ୍ୟୁନିକେସନ୍ସର ପରିଚାଳନା ନିର୍ଦ୍ଦେଶକଶୁଭାଶିଷ ତ୍ରିପାଠୀକହିଛନ୍ତି, “ଏହି ସଫଳତା ନାରୀଶକ୍ତି, ସାହସ, ଦେଶପ୍ରେମ ଓ ଦୃଢ଼ ସଙ୍କଳ୍ପର ଏକ ପ୍ରେରଣାଦାୟୀ ଉଦାହରଣ। ଏହି ମହିଳାମାନେ ଓଡ଼ିଶାର ଗୌରବକୁ ହିମାଳୟର ଉଚ୍ଚତାକୁ ନେଇଛନ୍ତି।”
‘ଆଶା’ର ଉପ-ସଭାପତି ଶ୍ରୀ ହରେଶ କୁମାର ମିଶ୍ର କହିଛନ୍ତି“ମାଉଣ୍ଟ ୟୁନମ ଅଭିଯାନର ଏହି ସଫଳତା ଓଡ଼ିଶାର ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଆରମ୍ଭ। ବିଶେଷକରି ମହିଳା ଓ ଯୁବପିଢ଼ିଙ୍କୁ ଏହା ନିଜ ସୀମାକୁ ଅତିକ୍ରମ କରି ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେବ।”।
ନ୍ୟାସନାଲ ଆଡଭେଞ୍ଚର କ୍ଲବ ର ଯୁଗ୍ମ ସମ୍ପାଦକ ରାକେଶ କୁମାର ଏହି ଅଭିଜାନକୁ ପରିଚାଳନା କରିଥିଲେ ।
ମାଉଣ୍ଟ ୟୁନମ ଶିଖରରେ ୫ ଜଣ ମହିଳାଙ୍କ ସଫଳ ଆରୋହଣ, ବିଶାଳ ତ୍ରିରଙ୍ଗା ଉତ୍ତୋଳନ ଏବଂ ଶୂନ୍ୟ ଦୁର୍ଘଟଣାରେ ଅଭିଯାନ ସମାପ୍ତି ଓଡ଼ିଶାର ମହିଳା ପର୍ବତାରୋହଣ କ୍ଷେତ୍ରରେ ଏକ ଗୌରବମୟ ମାଇଲଖୁଣ୍ଟ ସୃଷ୍ଟି କରିଛି।