ତ୍ରିରଙ୍ଗାରେ ଛାଇଲା ସହର; ଦେଶପ୍ରେମର ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ ଓ ପ୍ରଶାସନିକ ଅଧିକାରୀ
କଳାହାଣ୍ଡି:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ଭବାନୀପାଟଣା: ଆସନ୍ତା ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ଦେଶଭକ୍ତିର ମାହୋଲ ସୃଷ୍ଟି ହୋଇଥିବାବେଳେ ଭବାନୀପାଟଣାରେ ମଧ୍ୟ ଜାତୀୟତାବୋଧର ନିଆରା ପରିବେଶ ଦେଖିବାକୁ ମିଳିଛି। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଜିଲ୍ଲାସ୍ତରୀୟ ‘ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା’ ପଦଯାତ୍ରା ଅନୁଷ୍ଠିତ ହୋଇଛି।
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ, ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ବର୍ଗର ଲୋକେ ହାତରେ ତ୍ରିରଙ୍ଗା ଧରି ଯୋଗଦେଇଥିଲେ। ଦେଶଭକ୍ତିର ନାରା ଓ ତ୍ରିରଙ୍ଗାରେ ପଦଯାତ୍ରାର ପରିବେଶ ଉତ୍ସବମୁଖର ହୋଇଉଠିଥିଲା।

କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ, ମେଜର ଡକ୍ଟର ଜୟଦେବ ସାହୁ, ୬୪ ବାଟାଲିୟନ କମାଣ୍ଡାଣ୍ଟ ଅଜୟ କୁମାର, ଡିଏଫଓ ଦକ୍ଷିଣ ଆର. କାଲିଆବାଲାନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱବିଦ୍ୟାଳୟ ପରିସରରୁ ବାହାରିଥିବା ପଦଯାତ୍ରା ଷ୍ଟାଚ୍ୟୁ ଛକ ପର୍ଯ୍ୟନ୍ତ ଯାଇଥିଲା। ରାସ୍ତାସାରା ତ୍ରିରଙ୍ଗା ପତାକାରେ ପରିବେଶ ଛାଇଯାଇଥିବାବେଳେ ଦେଶପ୍ରେମର ନାରାରେ ପ୍ରକମ୍ପିତ ହୋଇଥିଲା ସହର। ପଦଯାତ୍ରାରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଦେଶ ପ୍ରତି ଭଲପାଇବାର ବାର୍ତ୍ତା ଜନଜନଙ୍କ ନିକଟରେ ପହଞ୍ଚାଇବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଦେଶର ଗୌରବ, ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶଭକ୍ତିର ଭାବନାରେ କଳାହାଣ୍ଡିର ଏହି ତ୍ରିରଙ୍ଗା ପଦଯାତ୍ରା ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।