ବେଲଗୁଣ୍ଠା,୧୩/୦୮, -(ଶିବରାମ ଚୌଧୁରୀ )-ଭଞ୍ଜନଗର ବାଗଦେବୀ ରୋଡ୍ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଶାନ୍ତି ସ୍ରୋତ ଭବନ ଉପସେବା କେନ୍ଦ୍ର ପକ୍ଷରୁ ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ଭବନରେ ନିଶା ମୁକ୍ତି ଅଭିଯାନ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀ ଓ ସମାଜ ମଧ୍ୟରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରି ଏକ ନିଶାମୁକ୍ତ ସମାଜ ଗଠନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା।ଅଭିଯାନରେ ମୁଖ୍ୟ ସଂଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଯୋଗଦେଇ ନିଶା ସେବନର କୁପରିଣାମ ଓ ଏହାଠାରୁ ଦୂରେଇ ରହିବାର ଆବଶ୍ୟକତା ଉପରେ ସଚେତନ କରିଥିଲେ। ବିଦ୍ୟାଳୟ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ଉପସ୍ଥିତ ଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ଅନିତା ଭଉଣୀ, ବୈକୁଣ୍ଠ ଭାଇ, ସୁନୀଲ ଭାଇ ଓ ରୋଷନ ଭାଇ ସହଯୋଗ କରିଥିଲେ।ସେହିପରି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଠାରେ ମଧ୍ୟ ନିଶା ମୁକ୍ତି ଅଭିଯାନ ପାଳିତ ହୋଇଥିଲା। ଏଠାରେ ଅନୁଷ୍ଠାନର ସଭାପତି ଭି. ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ବୁଲୁ ଦାସ, ପ୍ରଧାନ ଆଚାର୍ଯ୍ୟା ବାସନ୍ତୀ ଦାସ ଓ ସମାଜସେବୀ ଶୂଳପାଣି ଶତପଥୀଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ।ଉଭୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ନିଶାର କୁପ୍ରଭାବ ସମ୍ପର୍କରେ ପରିବାର ଓ ସମାଜକୁ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏଭଳି ଅଭିଯାନ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରି ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।