ଖରିଫ୍ ଧାନକିଣା ପାଇଁ ଚାଷୀ ପଞ୍ଜିକରଣ: ଭଞ୍ଜନଗରରେ ଉପଖଣ୍ଡସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

15
  • ତ୍ରୁଟିମୁକ୍ତ ପଞ୍ଜିକରଣ, ଏଗ୍ରିଷ୍ଟାକ୍‌ (AgriStack) ଓ ଭାଗଚାଷୀଙ୍କ ଆଧାର e-KYC ଉପରେ ପ୍ରଶାସନର ଗୁରୁତ୍ୱ;
  • ଆସନ୍ତା ଅଗଷ୍ଟ ୩୧ ଯାଏଁ ଚାଲିବ ଚାଷୀ ପଞ୍ଜିକରଣ ପ୍ରକ୍ରିୟା।


ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ​ଚଳିତ ଖରିଫ୍ ଋତୁରେ ଧାନକିଣା ପାଇଁ ରାଜ୍ୟରେ ଗତ ଅଗଷ୍ଟ ୬ ତାରିଖରୁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସଭାଗୃହରେ ଏକ ଉପଖଣ୍ଡସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉପଖଣ୍ଡ ଅଧୀନସ୍ଥ ୧୨୮ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ମାଧ୍ୟମରେ ପଞ୍ଜିକରଣ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଓ ନିର୍ଭୁଲ ଭାବେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
​ଏଗ୍ରିଷ୍ଟାକ୍ (AgriStack) ବାଧ୍ୟତାମୂଳକ: ଚଳିତ ଧାନକିଣାରେ ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ହୋଇଥିବାରୁ ସମବାୟ, ରାଜସ୍ୱ ଓ କୃଷି ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ସମସ୍ତ ଯୋଗ୍ୟ ଚାଷୀଙ୍କ ଏଗ୍ରିଷ୍ଟାକ୍ ଯଥାଶୀଘ୍ର ସୃଷ୍ଟି କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
​ଭାଗଚାଷୀଙ୍କ ପାଇଁ ନିୟମ: ଭାଗଚାଷୀ ପଞ୍ଜୀକରଣ ପାଇଁ ଜମି ମାଲିକଙ୍କ ସମ୍ମତିପତ୍ର ସହ ଆଧାର ଓ ମୋବାଇଲ୍ ନମ୍ବର ଦାଖଲ କରିବା ଆବଶ୍ୟକ। ଏହାପରେ ଆଇରିସ୍ ସ୍କାନର୍ (Iris Scanner) ମାଧ୍ୟମରେ ଉଭୟଙ୍କର ଆଧାର ଆଧାରିତ e-KYC କରାଯିବ।
​ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଆରସିଏସ୍ ଶ୍ରୀ ବିଜୟ କୁମାର ସାହୁ, ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଶୁଭରାଜ ସାମନ୍ତରା, ଆର୍‌ଏମ୍‌ସି ସମ୍ପାଦକ ଶ୍ରୀ ସୁମନ୍ତ ସାହୁ ଏବଂ ଆସିକା କୃଷି ଜିଲ୍ଲା ଅଧିକାରୀ ଶ୍ରୀ ସତ୍ୟବ୍ରତ ଦାସ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
​ଏତଦ୍‌ବ୍ୟତୀତ ଆସିକା, ବେଲଗୁଣ୍ଠା, ବୁଗୁଡ଼ା, ଶେରଗଡ଼, ଧରାକୋଟ, ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ସୋରଡ଼ା ବ୍ଲକର ତହସିଲଦାର, ବ୍ଲକ କୃଷି ଅଧିକାରୀ, ଯୋଗାଣ ନିରୀକ୍ଷକ ଓ ପ୍ୟାକ୍ସ ସମ୍ପାଦକମାନେ ଏଥିରେ ସାମିଲ ହୋଇଥିଲେ।

Leave A Reply

Your email address will not be published.