ନୂତନ ଗୃହ ଉଦ୍ଘାଟନ, ‘ସୀମା’ କାନ୍ଥପତ୍ରିକା ଉନ୍ମୋଚନ
ବିଜେପୁର: ଶିକ୍ଷା ସହ ସଂସ୍କୃତି ଓ ପ୍ରତିଭାର ମିଳନରେ ଉତ୍ସବମୁଖର ଗୁଦେରପାଲି ମହାବିଦ୍ୟାଳୟ ପରିସର। ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ସ୍ୱାଗତଂ ସମ୍ବର୍ଦ୍ଧନା ଉତ୍ସବ ସହ ନୂତନ ଗୃହ ଉଦ୍ଘାଟନ, ‘ସୀମା’ କାନ୍ଥପତ୍ରିକା ଉନ୍ମୋଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରିତିଶ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କୁ ଅଭ୍ୟର୍ଥନା କରିଥିଲେ। ପରେ ବିଜେପୁର ବିଧାୟକ ସନତ କୁମାର ଗଡତିୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ନୂତନ ଗୃହର ଉଦ୍ଘାଟନ କରିଥିଲେ। ‘ସୀମା’ କାନ୍ଥପତ୍ରିକା ମଧ୍ୟ ଉନ୍ମୋଚନ କରିଥିଲେ।
ବିଧାୟକ ଗଡତିୟା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ପାଠପଢ଼ା ସହ ନିଜର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ସହ କଳା, ସାହିତ୍ୟ ଓ ସଂସ୍କୃତିର ମଧ୍ୟ ଛାତ୍ରଜୀବନରେ ବିଶେଷ ଭୂମିକା ରହିଛି ବୋଲି ସେ କହିଥିଲେ।ଅନୁଷ୍ଠାନରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ଜାମୁଟପାଲି ସମିତି ସଭ୍ୟ ସରୋଜ ସାହୁ, ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର, କିଶୋର ଦେବତାଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ। ଲୋପାମୁଦ୍ରା ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ।ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ନିଜ ପ୍ରତିଭାର ପରିଚୟ ଦେଇଥିଲେ।ମଞ୍ଚରେ ଛାତ୍ରଛାତ୍ରୀଙ୍କ ଆକର୍ଷଣୀୟ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା।ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିବା ନରେନ୍ଦ୍ର ଦେହେରି, ମୁକେଶ ସାହୁ, ହେତୁ ପାତ୍ର, ଲିଙ୍ଗରାଜ ହାତୀ ଓ କୁଶ ବିଶ୍ୱାଳଙ୍କ ଅବଦାନକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଶେଷରେ ଅର୍ଚ୍ଚନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।