ବ୍ରହ୍ମପୁର: ପ୍ରଯୁକ୍ତିବିଦ୍ୟା ଏବଂ କାର୍ଯ୍ୟକ୍ଷେତ୍ର ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବାରୁ ଯୁବପିଢ଼ିଙ୍କୁ ନିରନ୍ତର ଭାବେ ନିଜ ଦକ୍ଷତାର ଉନ୍ନତି କରିବା ସହ ନୂତନତ୍ୱକୁ ଆପଣାଇବା ଏବଂ ଉଦୀୟମାନ ସୁଯୋଗ ସହ ନିଜକୁ ଖାପ ଖୁଆଇବା ଆବଶ୍ୟକ । ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ଏପରି ମତପୋଷଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ପ୍ରତିନିଧିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ପରିବର୍ତ୍ତିତ କାର୍ଯ୍ୟକ୍ଷେତ୍ର, ଯୁବପିଢ଼ିଙ୍କ ପାଇଁ ଉପଲବ୍ଧ ନୂଆ ସୁଯୋଗ ଏବଂ ଭବିଷ୍ୟତରେ ଦକ୍ଷତାର ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ କ୍ୟାରିୟର ବିକଳ୍ପ ବାହାରେ ଚିନ୍ତା କରିବା ସହ ନିଜର ଆଗ୍ରହ ଓ ରୁଚିକୁ ଉଦୀୟମାନ କାର୍ଯ୍ୟକ୍ଷେତ୍ର ସହ ଯୋଡ଼ିବାକୁ ପରାମର୍ଶ ଦିଆଯାଇଥିଲା । କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ଯୋଗାଯୋଗ ଦକ୍ଷତା, ସୃଜନଶୀଳତା, ସମାଲୋଚନାତ୍ମକ ଚିନ୍ତନ ଏବଂ ନିରନ୍ତର ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା ।
ଓଡ଼ିଶା ପରିପ୍ରେକ୍ଷୀରେ ଏହି ଆଲୋଚନା ବିଶେଷ ଗୁରୁତ୍ୱ ବହନ କରୁଛି । ଦକ୍ଷତା ବିକାଶ ଏବଂ ଭବିଷ୍ୟତର ଆବଶ୍ୟକତା ଅନୁରୂପ ଦକ୍ଷ ମାନବ ସମ୍ବଳ ଗଠନ ରାଜ୍ୟର ପ୍ରମୁଖ ପ୍ରାଥମିକତା ମଧ୍ୟରେ ରହିଛି । ରାଜ୍ୟର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ‘ସ୍କିଲ୍ – ଇନ୍ – ଓଡ଼ିଶା’କୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଏଥିସହ ସଦ୍ୟ ପ୍ରକାଶିତ ରାଜ୍ୟ ଆର୍ଥିକ ସର୍ବେକ୍ଷଣରେ ଡିଜିଟାଲ ଦକ୍ଷତାର ବିକାଶ ଏବଂ କୃତ୍ରିମ ବୁଦ୍ଧିମତ୍ତା ଦକ୍ଷତା ଉପରେ ବର୍ଦ୍ଧିତ ଗୁରୁତ୍ୱ ସମ୍ପର୍କରେ ପିଲାଙ୍କୁ ଅବଗତ କରାଯାଇଛି ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଭାଗ ନେଇ ନିଜର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ କରିଥିଲେ ଏବଂ କ୍ୟାରିୟର, ପ୍ରଯୁକ୍ତିବିଦ୍ୟା ଓ ପରିବର୍ତ୍ତିତ କାର୍ଯ୍ୟକ୍ଷେତ୍ରର ଆବଶ୍ୟକତା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଡିଜିଟାଲ ସମ୍ବଳର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସହ ନିଜର ନିଯୁକ୍ତିକ୍ଷମତା ଏବଂ ଉଦ୍ୟୋଗ ସମ୍ଭାବନା ବୃଦ୍ଧି କରିପାରୁଥିବା ଦକ୍ଷତା ବିକାଶ କରିବାକୁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଶିଖିବା, ପରିବର୍ତ୍ତନକୁ ଆପଣାଇବା, ସମୟୋପଯୋଗୀ ଦକ୍ଷତା ବିକଶିତ କରିବା ଏବଂ ଉଦୀୟମାନ ସୁଯୋଗକୁ ସମାଜ ପାଇଁ ସାର୍ଥକ ଅବଦାନରେ ପରିଣତ କରିବାର ବାର୍ତ୍ତା ଦିଆଯାଇଥିଲା ।