ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ରେ ଜଳିଗଲା ଏସି,ପୋଡ଼ିଗଲା କାନ୍ଥ ଟାଇଲ

60


ଓଡ଼ଗାଁ, ୨୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ରୋଗୀ ନିରୀକ୍ଷଣ ଗୃହରେ ବୁଧବାର ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟି ଏୟାର କଣ୍ଡିସନର୍‌ (ଏସି) ସମେତ କାନ୍ଥର ଟାଇଲ୍‌ ପୋଡ଼ି ନଷ୍ଟ ହୋଇଯାଇଛି। ସୌଭାଗ୍ୟବଶତଃ ଘରଟି ବନ୍ଦ ଥିବାରୁ କୌଣସି ଜୀବନହାନି ହୋଇନାହିଁ। ସୂଚନା ଅନୁଯାୟୀ, ରୋଗୀ ନିରୀକ୍ଷଣ ଗୃହଟି ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ କୌଣସି କାରଣରୁ ସଟ୍‌ସର୍କିଟ୍‌ ଘଟିଥିଲା। ଏଥିରେ ଏସିଟି ଜଳିଉଠିବା ସହ ଘର ଭିତରେ ଧୂଆଁ ଭରିଯାଇଥିଲା। ବନ୍ଦ ଝରକା ଦେଇ ଧୂଆଁ ବାହାରୁଥିବା ଦେଖାଯିବା ସହ କିଛି ସମୟ ପରେ ବିସ୍ଫୋରଣ ଭଳି ଶବ୍ଦ ଶୁଣାଯାଇଥିଲା। ଏହା ଶୁଣି ହସ୍ପିଟାଲରେ ସ୍ଥାୟୀ ଅଗ୍ନିନିରାପତ୍ତା ବ୍ୟବସ୍ଥା କାର୍ଯ୍ୟରେ ନିୟୋଜିତ କାରିଗର ଓ ଡାକ୍ତରଖାନା କର୍ମଚାରୀ ଘଟଣା ସମ୍ପର୍କରେ ଜାଣି ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷରେ, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଦୀର୍ଘଦିନ ଧରି ସ୍ୱତନ୍ତ୍ର ବିଦ୍ୟୁତ୍‌ ସଂଯୋଗ ଦାବି ହୋଇଆସୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ। ଫଳରେ ହସ୍ପିଟାଲର ବିଭିନ୍ନ ଯନ୍ତ୍ରାଂଶ ସିଙ୍ଗଲ୍‌ ଫେଜ୍‌ ବିଦ୍ୟୁତ୍‌ରେ ଚାଲୁଥିବାରୁ ବାରମ୍ବାର ତ୍ରୁଟି ଦେଖାଦେବା ସହ ଯନ୍ତ୍ରାଂଶ ଅଚଳ ହେଉଥିବା ଅଭିଯୋଗ ହୋଇଛି। ଖାଲି ଗୃହରେ ଏଭଳି ଅଘଟଣ ଘଟିଥିବାରୁ ଆଗକୁ ହସ୍ପିଟାଲର ଅଫିସ୍‌ ଓ ରୋଗୀ ୱାର୍ଡରେ ମଧ୍ୟ ଏଭଳି ବିପଦ ଘଟିବାର ଆଶଙ୍କା ରହିଛି। ତେଣୁ ଘଟଣାରୁ ଶିକ୍ଷା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଦ୍ୟୁତ୍‌ ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବା ସହ ସ୍ୱତନ୍ତ୍ର ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରି ତ୍ୱରିତ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.