ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

36

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତା କରି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲା ଭାରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁଜାତା ସାହୁ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ । ପୂର୍ବବର୍ଷ ପ୍ରସ୍ତୁତି ବୈଠକ ଅନୁଯାୟୀ ଏବଂ ବୈଠକର ନିଷ୍ପତି ଅନୁଯାୟୀ ଅଗଷ୍ଟ ୧୫ ଦିନ ଜିଲ୍ଲାସ୍ତରୀୟ ପତାକା ଉତୋଳନ ପୂର୍ବାହ୍ନ ୯ ଟାରେ ଅନୁଷ୍ଠିତ ହେବ । ପ୍ରଭାତରୁ ରାମଧୂନ, ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାକୁ ସ୍ଥିର ହୋଇଛି। ପ୍ରତ୍ୟେକ କାର୍ଯ୍ୟାଳୟର ମୁଖ୍ୟମାନେ ନିଜ ନିଜର କାର୍ଯ୍ୟାଳୟରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ସ୍ୱାଧୀନତା ଦିବସ ପୂର୍ବରୁ ଅଭ୍ୟାସ ପ୍ୟାରେଡ୍ ପିଟିଏସ୍ ପଡ଼ିଆରେ ଅନୁଷ୍ଠିତ ହେବ । ପୂର୍ବ ନିର୍ଦ୍ଧାରିତ ୫୨ ଦଳ ସହ ନୂତନ ଭାବେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସାମିଲ କରିବାକୁ ନିଷ୍ପତି ନିଆଯାଇଛି। ସ୍କୁଲ ଓ କଲେଜ ସ୍ତରରେ ଜିଲ୍ଲାସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ନିରପକ୍ଷେ ଭାବେ ବିଚାରକ ଚୟନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ରୋଟାରୀ କ୍ଲବ ଓ ନୟାଗଡ଼ ବ୍ଲଡ୍ ବ୍ୟାଙ୍କ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ବିଭିନ୍ନ ବିଭାଗ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟ ଗୁଡ଼ିକ କରାଯିବାକୁ ସ୍ଥିର ହୋଇଛି। ଏହି ବୈଠକରେ ଏସଡିପିଓ ସୃଷ୍ଟି ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ସାମ୍ବାଦିକ, ଘରୋଇ ବସ ମାଲିକ ସଂଘ ସଭାପତି, ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଧନ୍ୟବାଦ ଅର୍ପଣ କରିବା ପରେ ପରେ ସଭା ସାଙ୍ଗ କରାଯାଇଥିଲା । କିଛି ବିଭାଗ ଅଧିକାରୀ ଅନୁପସ୍ଥିତିକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Leave A Reply

Your email address will not be published.