ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି, ସମାଧାନ ଶୂନ୍ୟ; ଘଣ୍ଟ ବଜାଇ ଜହ୍ନିମୂଳବାସୀଙ୍କ ଅଭିନବ ପ୍ରତିବାଦ ।

26

କେନ୍ଦ୍ରାପଡା:୨୮।୭(ପ୍ରଫୁଲ୍ଲ କୁମାର ମଲ୍ଲ) ଦୀର୍ଘ ତିନି ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ପାଟନାଳୀ ରାସ୍ତା ଓ ପୋଲ କାମ ସମ୍ପୂର୍ଣ୍ଣ କରିବା ସହ ଜଳ ନିଷ୍କାସନ ଏବଂ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଜହ୍ନିମୂଳ ଗ୍ରାମବାସୀ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ୍‌ରେ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଗ୍ରାମବାସୀ ହାତରେ ଘଣ୍ଟ ଧରି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଘଣ୍ଟ ବଜାଇ ପ୍ରଶାସନ ବିରୋଧରେ କ୍ଷୋଭ ପ୍ରକାଶ କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଡେରାବିଶ୍ ବ୍ଲକ୍‌ର ୨୦ ନମ୍ବର ପାଟନାଳୀ ଓ ଜହ୍ନିମୂଳ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଏବଂ ପୋଲ କାମ ଗତ ତିନି ବର୍ଷ ଧରି ଅଧାରେ ପଡ଼ିରହିଛି। ବାରମ୍ବାର ଅଭିଯୋଗ ଓ ଦାବି ଜଣାଇବା ସତ୍ତ୍ୱେ କାମ ଶେଷ ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ବର୍ଷା ଦିନେ ପାଟନାଳୀର ଉଭୟ ପାର୍ଶ୍ୱରେ ମାଟି ପଡ଼ି ରାସ୍ତା ଶୋଚନୀୟ ହୋଇପଡ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାମ ନାମରେ ପାଟନାଳୀରେ ମାଟି ଗଦା କରି ରଖାଯାଇଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଫଳରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ପଡ଼ୁଥିବା ଏବଂ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ସେମାନେ କହିଛନ୍ତି। ଜନଶୁଣାଣୀରେ ଉପସ୍ଥିତ ଥିବା ସାମାଜିକ କର୍ମୀ ବାପିନ୍ ମଲ୍ଲ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଏହି ସମସ୍ୟା ସମ୍ପର୍କରେ ବିଧାୟକଙ୍କଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ଚିଫ୍ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଅବଗତ କରାଯାଇଛି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବାରୁ ଗ୍ରାମବାସୀ ନିଜକୁ ଅବହେଳିତ ଓ ଅସମ୍ମାନିତ ମନେ କରୁଥିବା ସେ କହିଛନ୍ତି।ଚାଷଜମି ଦୀର୍ଘଦିନ ଧରି ପାଣିରେ ବୁଡ଼ି ରହୁଥିବାରୁ ସ୍ଥାନୀୟ ସାମାଜିକ କର୍ମୀମାନେ ପ୍ରଶାସନ ଉପରେ ବ୍ୟଙ୍ଗ କରି କହିଛନ୍ତି ଯେ, ଚାଷ ହୋଇ ପାରୁନଥିବାରୁ ଏବେ ଚାଷ ଜମିରେ ମାଛ ଚାଷ କରାଯାଉ। ଏହି ବ୍ୟଙ୍ଗ ମଧ୍ୟରେ ଦୀର୍ଘଦିନର କ୍ଷୋଭ ଓ ଯନ୍ତ୍ରଣା ଲୁଚିରହିଥିବା ଦେଖିବାକୁ ମିଳିଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, କ୍ରମାଗତ ବର୍ଷା ଯୋଗୁଁ ବର୍ତ୍ତମାନ ରାସ୍ତା କାମ କରିବା ସମ୍ଭବ ହେଉନାହିଁ। ତେବେ ଆଗାମୀ ୧୫ ଦିନ ମଧ୍ୟରେ ଜଳ ନିଷ୍କାସନ ଓ ଡ୍ରେନେଜ୍ ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ଅନ୍ୟପକ୍ଷରେ, ନିର୍ଦ୍ଧାରିତ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ କଟକସ୍ଥିତ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଧାରଣା ଦିଆଯିବ ବୋଲି ଜହ୍ନିମୂଳ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏବେ ବିଭାଗୀୟ ପ୍ରତିଶ୍ରୁତି ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ ହେଉଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.