ଛାତ୍ର ଆନ୍ଦୋଳନକୁ ନେଇ ବହୁଜନ ମୁକ୍ତି ପାର୍ଟିର ସାମ୍ବାଦିକ ସମ୍ମିଳନୀ

0 5

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନାତ୍ମକ କାର୍ଯ୍ୟାନୁଷ୍ଠାନ ଏବଂ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କ ବିରୋଧରେ ସ୍ୱର ଉଠାଇଛି ବହୁଜନ ମୁକ୍ତି ପାର୍ଟି। ଭବାନୀପାଟଣାସ୍ଥିତ ବାମସେଫ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଘଟଣାର କଡ଼ା ନିନ୍ଦା କରାଯାଇଥିବା ବେଳେ ନୂତନ ଶିକ୍ଷା ନୀତି (NEP-2020) ବାତିଲ, ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ କେନ୍ଦ୍ର ସରକାରର ଶୀର୍ଷ ନେତୃତ୍ୱଙ୍କ ଇସ୍ତଫା ଦାବି କରାଯାଇଛି।

ଭବାନୀପାଟଣାର ଏସ୍‌.ପି. କାର୍ଯ୍ୟାଳୟ ପଛପଟେ ଥିବା ବାମସେଫ କାର୍ଯ୍ୟାଳୟରେ ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ଦଳୀୟ ନେତାମାନେ ସମ୍ପ୍ରତି ଘଟିଥିବା ଛାତ୍ର ଆନ୍ଦୋଳନ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ। ସେମାନେ କହିଥିଲେ ଯେ, ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ସରକାର ନିଶ୍ଚିତ କରିବା ଉଚିତ।
ଏହା ସହ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା। ନୂତନ ଶିକ୍ଷା ନୀତି–୨୦୨୦କୁ ତୁରନ୍ତ ବାତିଲ କରି ସର୍ବସମାବେଶୀ ଶିକ୍ଷା ବ୍ୟବସ୍ଥା ପ୍ରଣୟନ କରିବାକୁ ଦଳ ଦାବି ଉଠାଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀରେ ବହୁଜନ ମୁକ୍ତି ପାର୍ଟିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଡକ୍ଟର ବିଶପ ପଲ୍ଲଭ କୁମାର ଲିମା, ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ଭାରତ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ମାଧବ ସୁନାନୀ, ରାଜ୍ୟ ପ୍ରଭାରୀ ଡମ୍ବରୁଧର ମାଝୀ, ରାଜ୍ୟ ମହାସଚିବ ମହେନ୍ଦ୍ର ଧଙ୍ଗଡାମାଝୀ ଏବଂ ଭାରତ ମୁକ୍ତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀ ସଭାପତି ଲବ କରୁଆଁ ପ୍ରମୁଖ ଉପସ୍ଥିତ ଥିଲେ।

ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ଉଠାଯାଇଥିବା ଏହି ଦାବିଗୁଡ଼ିକୁ ନେଇ ଆଗାମୀ ଦିନରେ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.