ଭୁବେନଶ୍ୱର, ତା ୨୪ା୦୭ା୨୦୨୬ : ରାଜ୍ୟରେ ନୂତନ ସରକାର ଆସିବା ପରେ ଲାଗୁ ହୋଇଛି ଜାତୀୟ ଶିକ୍ଷାନୀତି । ୨୦୨୬-୨୭ ଶିକ୍ଷାବର୍ଷରୁ ଏହା କାର୍ଯ୍ୟକାରୀ ହୋଇଛି । ସେହି ଅନୁସାରେ ଓଡ଼ିଶା ପାଠ୍ୟକ୍ରମ ଆଧାର-୨୦୨୫ ପ୍ରଣୟନ କରାଯାଇ ନୂତନ ପାଠ୍ୟପୁସ୍ତକ ଛପାଯାଇ ପିଲାଙ୍କ ମଧ୍ୟରେ ବଣ୍ଟନ କରାଯାଇଛି, ଯାହା ସ୍ୱାଗତଯୋଗ୍ୟ । କିନ୍ତୁ ପାଠ୍ୟପୁସ୍ତକର ମୁଦ୍ରଣ ଜନିତ ତ୍ରୁଟି ପାଇଁ ସରକାର ହରଡ଼ଘଣାରେ । ଏବେ ପ୍ରଶ୍ନ ଉଠୁଛି ଯେଉଁ ପୁସ୍ତକ ଗୁଡ଼ିକ ଛପାଯାଇଛି, ତାକୁ ପଢାଇବ କିଏ ? ବିଦ୍ୟାଳୟ ଏବେ ଶିକ୍ଷକ ଶୂନ୍ୟ । କାରଣ ପ୍ରଥମେ ଜନଗଣନା ଓ ଏବେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଯୋଗୁଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବି.ଏଲ୍.ଓ. କାର୍ଯ୍ୟରେ ବ୍ୟସ୍ତ । ଦୁଇ ବର୍ଷ ଭିତରେ ସରକାର ଗୋଟିଏ ହେଲେ ବି ଶିକ୍ଷକ ନିଯୁକ୍ତି କରିନାହାଁନ୍ତି । କେବଳ ପୂର୍ବ ସରକାର ସମୟରେ ବାହାରିଥିବା ବିଜ୍ଞାପନ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ କେସ୍ ଉଠିବା ପରେ କିଛି ଶିକ୍ଷକ ନିଯୁକ୍ତି ପାଇଛନ୍ତି । ସରକାର ବର୍ଷକୁ ୧୫ ହଜାର ନୂତନ ଶିକ୍ଷକ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ ବି ଏବେ ଯାଏଁ ୧୫ଜଣ ଶିକ୍ଷକ ବି ନିଯୁକ୍ତି କରିନାହାଁନ୍ତି । ପ୍ରତି ମାସରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରୁଥିବା ବେଳେ ସେମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି ହେଉ ନଥିବାରୁ ବିଦ୍ୟାଳୟ ଗୁଡ଼ିକ ଜଣେ ଅଧେ ଶିକ୍ଷକରେ ଚାଲିଛି । ଶିକ୍ଷା ଅଧିକାର ଅଧିନିୟମ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହେଉଛି । ଶିଶୁମାନେ ସେମାନଙ୍କର ମୌଳିକ ଅଧିକାର ହରାଉଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଠ୍ୟକ୍ରମରେ ଖେଳ ଓ ଯୋଗ ଏବଂ କର୍ମାନୁଭୂତି ଶିକ୍ଷାକୁ ସାମିଲ୍ କରିଥିବା ବେଳେ ସେଥିନିମନ୍ତେ ଜଣେ ହେଲେ ବି ଶିକ୍ଷକ ନିଯୁକ୍ତି ଦେଇନାହାଁନ୍ତି । ତୃତୀୟ ଶ୍ରେଣୀଠାରୁ ଖେଳ ଓ ଯୋଗ ଏବଂ ଷଷ୍ଠ ଶ୍ରେଣୀଠାରୁ କୌଶଳବୋଧ ଓ କଳା ଶିକ୍ଷା ଦିଆଯିବା ପାଇଁ ବହି ଛାପିଥିଲେ ମଧ୍ୟ ଚଳିତବର୍ଷ ଠାରୁ ସେ ସବୁକୁ ପଢାଇବା ପାଇଁ ଶିକ୍ଷକ ନିଯୁକ୍ତି ଶୂନ । ଷଷ୍ଠ ଶ୍ରେଣୀରୁ ହିନ୍ଦୀ ଓ ସଂସ୍କୃତ ପାଠ୍ୟକ୍ରମରେ ଥିବାବେଳେ କେହି ଜଣେ ହେଲେ ବି ବିଷୟ ଭିତ୍ତିକ ଶିକ୍ଷକ ନାହାଁନ୍ତି । ଗତବର୍ଷ ଠାରୁ ଶିଶୁ ବାଟିକା ଶ୍ରେଣୀ ନୂତନ ଭାବରେ ଖୋଲାଯାଇଥିଲେ ମଧ୍ୟ ଏହି ଶ୍ରେଣୀ ପାଇଁ ଏ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତିର କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ତେଣୁ ସରକାର କେବଳ ବହି ଛାପିଦେଇ ଜାତୀୟ ଶିକ୍ଷାନୀତି ଲାଗୁ ଆଳରେ ବଜେଟ୍ ଅର୍ଥକୁ ଖର୍ଚ୍ଚ କରିବାକୁ ଚେଷ୍ଟା କରି ବାହାବା ନେଉଥିବା ବେଳେ ଶିକ୍ଷକମାନଙ୍କର ସମସ୍ୟା ମଧ୍ୟ ସମାଧାନ କରିନାହାଁନ୍ତି । ବାରମ୍ବାର ଅନୁରୋଧ ସତ୍ତେ୍ୱ ସରକାର ଶିକ୍ଷକ ନିଯୁକ୍ତି ପରିବର୍ତ୍ତେ ନୂତନ ଯୋଜନା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରୟାସ ଜାରି ରଖିଛନ୍ତି । ପାଠପଢ଼ା ଠପ ହୋଇଯିବା ଯୋଗୁଁ ଏବେ ଅଭିଭାବକ ମାନେ ଘୋର ଚିନ୍ତାରେ ଅଛନ୍ତି । କାରଣ ଆଗାମୀ ଅକ୍ଟୋବର ମାସ ଠାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୁଣି ଘରକୁ ଘରକୁ ବୁଲି ଭୋଟର ତାଲିକା ପ୍ରସ୍ତୁତ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ଘୋଷଣା କରିଥିବା ବେଳେ ଫେବୃୟାରୀ ମାସରୁ ଜନଗଣନା ଆରମ୍ଭ ହେବ । ପିଲାମାନଙ୍କ ପାଠପଢା ସମ୍ପୂର୍ଣ୍ଣ ବ୍ୟାଘାତ ଘଟିବ । ଗୋଟିଏ ବର୍ଷ ଯଦି ପାଠପଢାରେ ଏଭଳି ସମସ୍ୟା ହୁଏ, ତେବେ ଆଗାମୀ ଦିନରେ ପିଲା କ’ଣ ପଢିବେ ଓ ସେମାନଙ୍କର ଭବିଷ୍ୟତ କ’ଣ ହେବ ବୋଲି ଅଲ୍ ଓଡ଼ିଶା ଏଲିମେଣ୍ଟାରୀ ଟି.ଜି. ଶିକ୍ଷକ ସଂଘର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ମହାନ୍ତି, ପୂର୍ବତନ ସାଧାରଣ ସମ୍ପାଦକ ମୂରଲୀଧର ନାୟକ, ସର୍ବେଶ୍ୱର ମଲ୍ଲିକ, କମଳାକାନ୍ତ ଦାସ ଓ ରାଜ୍ୟ ସଭାପତି ଜାକୀର୍ ହୁସେନ୍ ପ୍ରମୁଖ ସରକାରଙ୍କୁ ଏ ଦିଗରେ ଏକ ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.