ଓଡ଼ଗାଁ, ୨୨ା୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀବିଜ୍ଞାନର ପ୍ରାକ୍ଟିକାଲ କ୍ଲାସ୍ ନିୟମିତ ଓ ଆବଶ୍ୟକ ସଂଖ୍ୟାରେ ହେଉନଥିବା ଅଭିଯୋଗ ନେଇ ବୁଧବାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୁଇଟି ଗ୍ରୁପ୍ର ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଏନେଇ ପ୍ରତିବାଦ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ମହାବିଦ୍ୟାଳୟରେ ଅନ୍ୟାନ୍ୟ ବିଷୟର ପ୍ରାକ୍ଟିକାଲ କ୍ଲାସ୍ ଚାଲିଥିବା ବେଳେ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀବିଜ୍ଞାନର ପ୍ରାକ୍ଟିକାଲ କ୍ଲାସ୍ ଆବଶ୍ୟକ ସଂଖ୍ୟାରେ ହେଉନାହିଁ। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେବା ସହ ପରୀକ୍ଷା ପ୍ରସ୍ତୁତିରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ସମସ୍ତ ବିଷୟର ପ୍ରାକ୍ଟିକାଲ କ୍ଲାସ୍ ନିର୍ଦ୍ଧାରିତ ସମୟରେ ଶେଷ କରାଗଲେ ଛାତ୍ରଛାତ୍ରୀମାନେ ଅବଶିଷ୍ଟ ସମୟକୁ ପରୀକ୍ଷା ପ୍ରସ୍ତୁତିରେ ବ୍ୟବହାର କରିପାରିବେ ବୋଲି ସେମାନେ କହିଥିଲେ। ଏହି ସମସ୍ୟାର ସମାଧାନ ଦାବି କରି +୨ର ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ଜଣାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ପ୍ରାୟ ଏକ ଘଣ୍ଟା ସମୟ ଧରି ଏହି ଅସନ୍ତୋଷ ଲାଗି ରହିଥିଲା। ତେବେ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଅଧ୍ୟକ୍ଷଙ୍କ ଠାରୁ ଶୁଣିବା ପରେ ଛାତ୍ରଛାତ୍ରୀମାନେ ସେଠାରୁ ଚାଲିଯାଇଥିଲେ। ଅନ୍ୟପକ୍ଷରେ, ମହାବିଦ୍ୟାଳୟର କେତେକ ବରିଷ୍ଠ ଅଧ୍ୟାପକଙ୍କ ଅବସର ସମୟ ନିକଟତର ହୋଇଥିବା ବେଳେ କନିଷ୍ଠ ମାନେ ଏହାର ଦାୟିତ୍ବ ସମ୍ପାଦନ ଅପେକ୍ଷା ନିଜସ୍ବ କର୍ତ୍ତବ୍ୟରେ ବ୍ୟସ୍ତ ରହିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।