ବେଆଇନ ବନ୍ଧୁକ ସହ ୪ ଗ୍ୟାଙ୍ଗଷ୍ଟର ଗିରଫ: ଗଞ୍ଜେଇ ଗାଡ଼ିକୁ କରୁଥିଲେ ଏସ୍କର୍ଟ, ଭଞ୍ଜନଗର ପୋଲିସକୁ ବଡ଼ ସଫଳତା

0
  • ​ଚେକିଂ ବେଳେ ପୋଲିସକୁ ବନ୍ଧୁକ ଦେଖାଇ ଧମକ;କାବୁ କଲା ଭଞ୍ଜନଗର ପୋଲିସ, ୪ ଗିରଫ

  • ​ବୁଲେଟ୍ ଓ ଆପାଚି ସହ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ; କନ୍ଧମାଳରୁ ବ୍ରହ୍ମପୁର ଗଞ୍ଜେଇ ଚାଲାଣର ଖୋଲିଲା ଗୁମର

​ଗଞ୍ଜାମ ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ପୋଲିସର କଡ଼ା ଆକ୍ସନ! ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚକରା ବିଶୋୟୀ ଛକ ନିକଟରେ ଯାଞ୍ଚ ବେଳେ ପୋଲିସ ଉପରକୁ ବନ୍ଧୁକ ଉଠାଇ ଧମକ ଦେବା ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଛି। ଗୋଡ଼ାଇ ଗୋଡ଼ାଇ ୪ ଜଣ ସଶସ୍ତ୍ର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଏମାନେ କନ୍ଧମାଳରୁ ବ୍ରହ୍ମପୁରକୁ ହେଉଥିବା ବେଳେ ବେଆଇନ ଗଞ୍ଜେଇ ଚାଲାଣ ଗାଡ଼ିଗୁଡ଼ିକୁ ସୁରକ୍ଷା ବଳୟ (ଏସ୍କର୍ଟ) ଯୋଗାଉଥିଲେ। ସେମାନଙ୍କ ନିକଟରୁ ବୁଲେଟ୍, ଆପାଚି ବାଇକ୍ ସହ ମାରଣାସ୍ତ୍ର ଜବତ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

​ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ​ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି ଓ ରାହାଜାନୀ ଭଳି ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଭଞ୍ଜନଗର ଥାନା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ପୋଲିସ ଏକ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଓ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
​ଭଞ୍ଜନଗର ପୋଲିସ୍ ର ସାମ୍ବାଦିକ ସମ୍ମିଳନୀର ସୁଚନା ମୁତାବକ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ କୌଣସି ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଭଞ୍ଜନଗର ଥାନା ଏସ୍‌ଆଇ (SI) ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚକରା ବିଶୋୟୀ ଛକ ନିକଟରେ ସନ୍ଦେହଜନକ ଯାନବାହନ ଯାଞ୍ଚ କରୁଥିଲେ। ଏହି ସମୟରେ ଦୁଇଟି ମୋଟର ସାଇକେଲରେ ଚାରିଜଣ ବ୍ୟକ୍ତି କନ୍ଧମାଳ ପଟୁ ଦ୍ରୁତ ଗତିରେ ଆସୁଥିଲେ। ମାତ୍ର ସମ୍ମୁଖରେ ପୋଲିସକୁ ଦେଖି ସେମାନେ ଭୟଭୀତ ହୋଇ ପଛକୁ ଅର୍ଥାତ୍ କନ୍ଧମାଳ ଆଡ଼କୁ ଫେରି ପଳାଇବାକୁ ଚେଷ୍ଟା କରିବା ସହ ପୋଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପୋଲିସ ତତ୍କ୍ଷଣାତ ସେମାନଙ୍କ ପିଛା କରି ଭଞ୍ଜନଗର ବ୍ରିଜ୍ ନିକଟରେ ଘେରି ଯାଇ ଅଟକାଇଥିଲା।
​ପୋଲିସ ଉପରକୁ ଉଠିଲା ବନ୍ଧୁକ:
ପୋଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଭୋଳା ନାହାକ ହଠାତ ଏକ ପିସ୍ତଲ ବାହାର କରି ପୋଲିସ ଦଳକୁ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲା। ତେବେ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ବହୁ କଷ୍ଟରେ ତାଙ୍କୁ କାବୁ କରିବା ସହ ତାଙ୍କ ହାତରୁ ଅପରାଧ ପାଇଁ ବ୍ୟବହୃତ ମାରଣାସ୍ତ୍ର ଛଡ଼ାଇ ଆଣିଥିଲେ।
​ଗଞ୍ଜେଇ ଗାଡ଼ିକୁ କରୁଥିଲେ ଏସ୍କର୍ଟ:
ପୋଲିସ ସେମାନଙ୍କୁ ଥାନାକୁ ଆଣି ଜେରା କରିବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ, କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁରକୁ ଯେଉଁସବୁ ଗାଡ଼ିରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରାଯାଏ, ସେହି ଗାଡ଼ିଗୁଡ଼ିକୁ ସୁରକ୍ଷିତ ଭାବେ ପାର୍ କରାଇବା ପାଇଁ ଏମାନେ ଆଗେ ଆଗେ ବାଇକ୍‌ରେ ଯାଇ ‘ଏସ୍କର୍ଟ’ (ରୋଡ୍ କ୍ଲିୟରାନ୍ସ) କରୁଥିଲେ।
​ଜବତ ସାମଗ୍ରୀ:
​ଗୋଟିଏ ୭.୬୫ ଏମ୍‌.ଏମ୍‌. ଦେଶୀ ତିଆରି ପିସ୍ତଲ (Country-made Pistol)
​୭.୬୫ ଏମ୍‌.ଏମ୍‌.ର ୨ ରାଉଣ୍ଡ ଜୀବନ୍ତ ଗୁଳି (Live Ammunition)
​ଗୋଟିଏ ମ୍ୟାଗାଜିନ
​ଗୋଟିଏ ରୟାଲ ଏନଫିଲ୍ଡ ବୁଲେଟ୍ ମୋଟରସାଇକେଲ
​ଗୋଟିଏ TVS Apache ମୋଟର ସାଇକେଲ ଓ ​ଗୋଟିଏ ମୋବାଇଲ ଫୋନ୍
ଗିରଫ ଅଭିଯୁକ୍ତ ମାନେ ହେଲେ ବେଲାରସେନ ସ୍ଵାଇଁ (କବିସୂର୍ଯ୍ୟ ନଗର ଥାନା ଅଞ୍ଚଳ)ବଂଶିଧର ବିଷୋୟୀ (ଭୂତସରଙ୍ଗି)ଭୋଳା ନାହାକ (କୋଦଳା ଅଞ୍ଚଳ) ଭାଗିରଥି ଗୌଡ଼ (ବେଗୁନିଆପଡା ଥାନା ଭାବିନିପୁର)
​ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି ବୋଲି ଆଜି ଏକ ସ୍ୱତନ୍ତ୍ର ପ୍ରେସ ବିବୃତିରେ ଭଞ୍ଜନଗର ଏସଡିପିଓ (SDPO) ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି। ପ୍ରେସ ବିବୃତି ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.