-
ସହଳ ପହଣ୍ଡି ବିଳମ୍ବିତ ରଥାରୂଢ଼, ଭାବ ବିହ୍ୱଳ ହେଲେ ଭକ୍ତ
-
ସନ୍ଧ୍ୟାରେ ଅଧାବାଟରେ ଅଟକିଲା ତିନି ରଥ
ପୁରୀ, ୧୬/୭: ଲଗାଣ ବର୍ଷା, ଲକ୍ଷ ଲକ୍ଷ ଭକ୍ତଙ୍କ ଅକୁଣ୍ଠ ଭକ୍ତି ଓ ମହାପ୍ରଭୁଙ୍କ ଅପୂର୍ବ ଲୀଳା ମଧ୍ୟରେ ଚଳିତ ବର୍ଷର ଶ୍ରୀଜଗନ୍ନାଥ ରଥଯାତ୍ରା ଏକ ଅନନ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଦୁଇ ଦିନ ଧରି ବର୍ଷାରେ ଭିଜି ଅପେକ୍ଷା କରୁଥିବା ଲକ୍ଷାଧିକ ଭକ୍ତଙ୍କୁ ନିରାଶ ନକରି ଭକ୍ତବତ୍ସଳ କାଳିଆ ସାଆନ୍ତ ମଧ୍ୟ ସେମାନଙ୍କ ସହ ବର୍ଷାରେ ଭିଜି ରଥାରୂଢ଼ ହୋଇଥିଲେ।
ସହଳ ପହଣ୍ଡି ବିଳମ୍ବିତ ରଥାରୂଢ଼, ବିନା ଟାହିଆରେ ମହାପ୍ରଭୁଙ୍କ ଝୁଲି ଝୁଲି ଆଗମନ ଏବଂ ସେବକମାନଙ୍କ ସହ ବର୍ଷାରେ ଭିଜି ଭକ୍ତଙ୍କୁ ଦର୍ଶନ ଦେବା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା। ଭାରି ବର୍ଷା ସତ୍ତ୍ୱେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।
ରଥଯାତ୍ରାର ପ୍ରମୁଖ ନୀତି ଅନୁଯାୟୀ ସକାଳ ୯ଟାରେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ସକାଳ ୯ଟା ୩୦ ମିନିଟରେ ଶ୍ରୀବଳଭଦ୍ର, ପ୍ରାୟ ୧୦ଟା ୪୦ ମିନିଟରେ ଦେବୀ ସୁଭଦ୍ରା ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। କିନ୍ତୁ ଭକ୍ତବତ୍ସଳ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଶୀଘ୍ର ସମ୍ପନ୍ନ ହୋଇଥିଲେ ମଧ୍ୟ ଦିନ ପ୍ରାୟ ୧ଟା ୪୦ ମିନିଟ୍ ବେଳେ ସେ ନନ୍ଦିଘୋଷ ରଥରେ ବିରାଜମାନ କରିଥିଲେ। ଦୀର୍ଘ ସମୟ ଧରି ସମସ୍ତ ଭକ୍ତ ଶ୍ରୀମନ୍ଦିର ସମ୍ମୁଖ ରେ ଅପେକ୍ଷା କରିଥିଲେ ଚକାନୟନ କୁ ଦେଖିବାକୁ ।
ହେଲେ ଯେବେ ସେ ସିଂହଦ୍ୱାର ଗୁମୁଟ ପାଖକୁ ଆସିଲେ ସେତେବେଳେ ଦୃଶ୍ୟ ଭକ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିନା ଟାହିଆ ରେ ପ୍ରଥମ ଥର ମହାପ୍ରଭୁ ବାହାରକୁ ଆସିଥିଲେ । ଏହି ବିଳମ୍ବକୁ ଦେଖି ଭକ୍ତମାନଙ୍କ ମନରେ ଏକ ଭାବପ୍ରବଣ ଅନୁଭୂତି ସୃଷ୍ଟି ହୋଇଥିଲା,ସତେ ଯେପରି ମହାପ୍ରଭୁଙ୍କର ଶ୍ରୀମନ୍ଦିର ଛାଡ଼ିବାକୁ ମନ ହେଉନଥିଲା।
ସିଂହଦ୍ୱାର ସମ୍ମୁଖରେ ଲକ୍ଷ ଲକ୍ଷ ଭକ୍ତ ବର୍ଷାରେ ଭିଜି ଧୈର୍ଯ୍ୟର ସହ ଅପେକ୍ଷା କରୁଥିବା ବେଳେ ଦୀର୍ଘ ସମୟ ପରେ ମହାପ୍ରଭୁଙ୍କ ଦର୍ଶନ ମିଳିଥିଲା। ବିନା ଟାହିଆରେ ମହାପ୍ରଭୁ କେବେ ବାମକୁ, କେବେ ଡାହାଣକୁ, କେବେ ଆଗକୁ ତ କେବେ ପଛକୁ ଝୁଲି ଝୁଲି ଆସୁଥିବା ଦୃଶ୍ୟ ଉପସ୍ଥିତ ଭକ୍ତଙ୍କୁ ଆଧ୍ୟାତ୍ମିକ ଆନନ୍ଦରେ ବିଭୋର କରିଥିଲା। ସେବକମାନଙ୍କ ସହ ବର୍ଷାରେ ଭିଜି ଭକ୍ତଙ୍କୁ ଦର୍ଶନ ଦେବା ଦୃଶ୍ୟ ଚଳିତ ରଥଯାତ୍ରାର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ପାଲଟିଥିଲା।
ଅପରାହ୍ଣ ପ୍ରାୟ ୪ଟାରେ ଗଜପତି ମହାରାଜଙ୍କ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରାୟ ସନ୍ଧ୍ୟା ୫ଟା ରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା। ପରେ ସନ୍ଧ୍ୟା ୬ଟା ୧୦ ମିନିଟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ସନ୍ଧ୍ୟା ୭ଟା ୧୫ ମିନିଟରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା।
ତେବେ ସନ୍ଧ୍ୟା ହୋଇଯିବାରୁ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିନଥିଲେ। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଉନ ଥାନା ନିକଟରେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମର୍ଚ୍ଚିକୋଟ ଛକ ନିକଟରେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିଛି ବାଟ ଅଗ୍ରସର ହୋଇ ଅଟକି ରହିଥିଲା। ଶୁକ୍ରବାର ସକାଳ ୯ଟା ପରେ ପୁଣି ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।