କବି କଳହଂସ ବସନ୍ତକୋକିଳ ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୪୩ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଶ୍ରୀଲକ୍ଷ୍ମୀନୃସିଂହ କଲ୍ୟାଣ ମଣ୍ଡପ ଠାରେ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୪୩ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।
ପ୍ରାତଃରେ ଗୋପାଳକୃଷ୍ଣ ପାଠାଗାର ଠାରେ ଥିବା ଗୋପାଳକୃଷ୍ଣଙ୍କ ମୂର୍ତ୍ତିରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଭାରତ ଭୂଷଣ ମହାନ୍ତି ପ୍ରଭୃତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୂର୍ବାହ୍ନରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ. ଶଶୀକାନ୍ତ ମହାପାତ୍ର , ମୁଖ୍ୟବକ୍ତା ଭାବେ ଡ. ଚାରୁପ୍ରଭା ନାୟକ , ବିଶିଷ୍ଟ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସମ୍ମାନିତ ଅତିଥି ଭାବେ ଲୋକନାଥ ମିଶ୍ର ଯୋଗଦେଇ ପାରଳାର କିମ୍ବଦନ୍ତୀ ପୁରୁଷ , ଏମାଟିର ଅମ୍ଳାନ ପ୍ରତିଭାଧର ଓଡ଼ିଶା ଇତିହାସର ଅଦ୍ୱିତୀୟ ମନି ଶୀ ଗୋପାଳକୃଷ୍ଣଙ୍କ ପଦାବଳୀ କାଳଜୟୀ ବୋଲି ବକ୍ତା ମାନେ କହିଥିଲେ।
ସ୍ମୃତିକଳା ପରିଷଦର ସମ୍ପାଦକ ତଥା ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତା ଏକାଡେମୀ ବିଚିତ୍ରାନନ୍ଦ ବେବର୍ତ୍ତା ବିବରଣୀ ପାଠ କରିଥିଲେ।
ପ୍ରାରମ୍ଭରେ ଗୋପାଳକୃଷ୍ଣ ପଦ୍ୟାବଳୀରୁ ଏକ ସଙ୍ଗୀତ ନୟନା ପଟ୍ଟନାୟକ ଗାନ କରିଥିଲେ। ରାଜେଶ୍ୱରୀ ସ୍ୱାଇଁ ପରିଚୟ ପ୍ରଦାନ କରିଥିବା ବେଳେ ଇଂ ଶ୍ଵେତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ନରସିଂହ ଗୌଡ ଏକ କବିତା ପାଠ କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ବ୍ରଜାନନ୍ଦ ପଟ୍ଟନାୟକ ଅନୁଷ୍ଠାନର ଅନ୍ୟତମ ଉପଦେଷ୍ଟା ତନୁଜା ଶତପଥୀ ପୁରସ୍କାର ବିତରଣ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଂଯୋଜନ କରିଥିଲେ ।
ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ , ଚିତ୍ର , ଓଡ଼ିଶୀ ନୃତ୍ୟ , ତର୍କ ପ୍ରଭୃତିରେ ବିଜୟ ହାସଲ କରିଥିବା ପ୍ରାଥମିକ , ମାଧ୍ୟମିକ , ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ଥରୀୟ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଶେଷରେ ଶିଶୁ ଶିଳ୍ପୀ ପ୍ରତ୍ୟାଶା , ସୁନିତା , ସୁନନ୍ଦା , ଅନନ୍ନ୍ୟା ଓଡ଼ିଶୀ ଓ ଭଜନ ପରିବେଷଣ କରିଥିଲେ। ଭାଗବତ ପାଢ଼ୀ , ମୁରଲୀଧର ପରିଛା , ଶଶୀଭୂଷଣ ପଟ୍ଟନାୟକ , ରାଜେଶ୍ୱରୀ ସ୍ୱାଇଁ , ଗାୟତ୍ରୀ ପଟ୍ଟନାୟକ , ଶୁଭ୍ରାଂଶୁ ପଟ୍ଟନାୟକ , ରାମ ଚ଼ନ୍ଦ୍ର ପାଢ଼ୀ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।