ଶ୍ରୀ ରଘୁନାଥ ଜିଉଙ୍କ ଦକ୍ଷିଣ ଦ୍ୱାରରେ ତୋରଣ ନିର୍ମାଣ ପାଇଁ ଭୁମି ପୂଜନ; ସମସ୍ତ ବ୍ୟୟ ବହନ କରିବେ ଦାତା ସତ୍ୟମ୍ ଦାସ,

0

ଓଡ଼ଗାଁ, ୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ବିଷ୍ଣୁପୀଠ ତଥା ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ପରିଚିତ ଓଡ଼ଗାଁସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରର ଦକ୍ଷିଣ ଦ୍ୱାର ପ୍ରବେଶ ପଥରେ ତୋରଣ ଉପରେ ଏକ ଭବ୍ୟ ଧନୁର ରୁପରଖି ନିର୍ମାଣ ପାଇଁ ଶୁକ୍ରବାର ମଧ୍ୟାହ୍ନରେ ଭୂମିପୂଜନ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ରଶ୍ମିରଞ୍ଜନ ଓ ଶେଷଦେବ ଷଡ଼ଙ୍ଗୀଙ୍କ ବୈଦିକ ବିଧିବିଧାନ ଅନୁଯାୟୀ ଭୂମିପୂଜନ ସମ୍ପନ୍ନ ହୋଇଥିଲା। ପ୍ରସ୍ତାବିତ ତୋରଣଟି ତିନି କଲମ୍ ବିଶିଷ୍ଟ ହେବା ସହ ଏହାର ଉପରି ଭାଗରେ ଶ୍ରୀ ରାମ ଧନୁ ଅର୍ଥାତ୍ ଓଡ଼ଗାଁ ବିରାଜିତ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ କୋଦଣ୍ଡ ଧନୁର ପ୍ରତୀକାତ୍ମକ ରୁପ ଶୋଭା ପାଇବ ବୋଲି ପ୍ରସ୍ତୁତ ନକ୍ସାରୁ ଜଣାପଡ଼ିଛି। ଏହି ତୋରଣ ନିର୍ମାଣ ପାଇଁ ସଙ୍କଳ୍ପ କରିଥିବା ଯାଜପୁର ଅଞ୍ଚଳର ଦାତା ସତ୍ୟମ୍ ଦାସ ଭୂମିପୂଜନର କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ତୋରଣ ନିର୍ମାଣର ସମସ୍ତ ବ୍ୟୟ ସେ ବହନ କରିବେ ବୋଲି ସୂଚନା ମିଳିଛି। ଏବଂ ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ଶ୍ରୀରାମ ନବମୀ ଯାତ୍ରା ପୂର୍ବରୁ ସାରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। 

ପୂଜାର ଅନ୍ତିମ ପର୍ଯ୍ୟାୟରେ ତୋରଣ ନିର୍ମାଣ ପାଇଁ ମନ୍ଦିର କାରିଗର ଦିଲ୍ଲୀପ କୁମାର ଦାସଙ୍କୁ ହାତୁଡ଼ି, ନିହଣ ଓ କରଣୀ ପ୍ରଦାନ କରାଯାଇଥିଲା। ପରେ ଦିଲ୍ଲୀପ ପଥର ଉପରେ ନିହଣର ପ୍ରଥମ ଦାଗ ଦେଇ ତୋରଣ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବରିଷ୍ଠ ମନ୍ଦିର ନିର୍ମାଣକାରୀ କୃଷ୍ଣ ବରାଡ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର, ବରିଷ୍ଠ ପୂଜକ ରଞ୍ଜନ ମହାପାତ୍ର, ଜିତେନ୍ଦ୍ର ମହାପାତ୍ର, ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପୂଜା ଓ ହୋମ ସମାପନ ପରେ ବ୍ରାହ୍ମଣମାନଙ୍କ ନିମନ୍ତେ ସ୍ବତନ୍ତ୍ର ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.