ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଗଛକାଟି ଗୋଶାଳା ନିର୍ମାଣ ଉଦ୍ୟମ!

0

ପୌରପରିଷଦ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଥାନାରେ ଅଭିଯୋଗ, ଆନ୍ଦୋଳନ ଚେତାବନୀ

ଟିଟିଲାଗଡ଼ (ଶାସକ ପ୍ରଶାସକ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମନିଗାଁ ଗ୍ରାମପଞ୍ଚାୟତର ନାନାଝର ଗ୍ରାମରେ ପ୍ରସ୍ତାବିତ ଗୋଶାଳା ନିର୍ମାଣକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଯେଉଁ ସ୍ଥାନରେ ଗୋଶାଳା ନିର୍ମାଣ ପାଇଁ ପୌରପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି, ସେହି ସ୍ଥାନଟି ଗ୍ରାମବାସୀଙ୍କ ଛେଳି, ମେଣ୍ଢା,ଗାଈ, ମଇଁଷି ଚାରଣ ସହ ସାଧାରଣ ବ୍ୟବହାରରେ ରହିଥିବା ବେଳେ ବହୁ ସଂଖ୍ୟକ ଗଛରେ ପରିପୂର୍ଣ୍ଣ।
ଏହି ପ୍ରସ୍ତାବକୁ ବିରୋଧ କରି ଗ୍ରାମବାସୀ ପୂର୍ବରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉପଜିଲ୍ଲାପାଳ ଗ୍ରାମବାସୀଙ୍କ ସମ୍ମତି ବିନା ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ପୌରପରିଷଦର ଜଣେ ଅଧିକାରୀ ଓ ସମ୍ପୃକ୍ତ ଠିକାଦାର ଜେସିବି ମେସିନ୍ ଲଗାଇ ଗଛ କାଟିବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଗ୍ରାମବାସୀଙ୍କ ଅଭିଯୋଗ ଯେ, ବନ ବିଭାଗର ଆବଶ୍ୟକ ଅନୁମତି ବିନା ଗଛ କାଟିବା ଉଦ୍ୟମ କରାଯାଇଛି। ଏହାକୁ ବିରୋଧ କରି ସେମାନେ କାର୍ଯ୍ୟ ବନ୍ଦ କରିବା ସହ ପୌରପରିଷଦ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ଯେ, ସହର ଅଞ୍ଚଳରେ ପ୍ରଚୁର ସରକାରୀ ଜମି ଉପଲବ୍ଧ ଥିବା ସତ୍ତ୍ୱେ ଗ୍ରାମର ସବୁଜ ପରିବେଶକୁ ନଷ୍ଟ କରି କାହିଁକି ଗୋଶାଳା ନିର୍ମାଣ କରାଯାଉଛି? ରାଜ୍ୟ ସରକାର ଏକପଟେ ବୃକ୍ଷରୋପଣ ପାଇଁ ଆହ୍ୱାନ କରୁଥିବାବେଳେ ଅନ୍ୟପଟେ ଗଛ କାଟି ନିର୍ମାଣ କାର୍ଯ୍ୟ କରାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ ନକରାଗଲେ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିବେ।

Leave A Reply

Your email address will not be published.