ଉପଖଣ୍ଡସ୍ତରୀୟ ଜିଲ୍ଲା ଜନଗଣନା ୨୦୨୭ : ହ୍ୟାଣ୍ଡବୁକ୍ (DCHB) ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ; ତ୍ରୁଟିମୁକ୍ତ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ
-
ତିନି ପର୍ଯ୍ୟାୟ ବିଶିଷ୍ଟ ଜିଲ୍ଲା ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ
-
ଶେଷ ଦିନରେ ଭଞ୍ଜନଗରଠାରେ ୨୩୭ ଅଧିକାରୀଙ୍କୁ ମୋବାଇଲ ଆପ୍ର ପ୍ରାୟୋଗିକ ତାଲିମ
-
ନିର୍ଭୁଲ ତଥ୍ୟ, ସଫଳ ଯୋଜନା!
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ୨୦୨୭ ଜନଗଣନାକୁ ସୁଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଆୟୋଜିତ ତିନି ପର୍ଯ୍ୟାୟ ବିଶିଷ୍ଟ ଉପଖଣ୍ଡସ୍ତରୀୟ ଜିଲ୍ଲା ଜନଗଣନା ପୁସ୍ତିକା (DCHB) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
ପ୍ରଥମ ପର୍ଯ୍ୟାୟ (୧ ଜୁଲାଇ – ବ୍ରହ୍ମପୁର) ଓ ଦ୍ୱିତୀୟ ପର୍ଯ୍ୟାୟ (୨ ଜୁଲାଇ – ଛତ୍ରପୁର) ପରେ ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ପ୍ରଶିକ୍ଷଣ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁନୀଲ କୁମାର କେର୍କେଟା ଏବଂ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କ ଉପସ୍ଥିତିରେ ଜିଲ୍ଲାର ୨୩୭ ଜଣ ଅଧିକାରୀଙ୍କୁ କ୍ଷେତ୍ରସ୍ତରୀୟ ଅନୁସନ୍ଧାନ ଓ ଡିଜିଟାଲ ମୋବାଇଲ ଆପ୍ ବ୍ୟବହାର ସମ୍ପର୍କରେ ପ୍ରାୟୋଗିକ ତାଲିମ ଦିଆଯାଇଛି। ଭବିଷ୍ୟତର କଲ୍ୟାଣକାରୀ ଯୋଜନା ପାଇଁ ଏହି ସଠିକ୍ ତଥ୍ୟ ସଂଗ୍ରହ ବେଶ ସହାୟକ ହେବ। ସହାୟତା ପାଇଁ ଜିଲ୍ଲାସ୍ତରୀୟ ‘ହେଲ୍ପ ଡେସ୍କ’ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି।
ଆଜି ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ
୨୦୨୭ ଜନଗଣନା ଅବସରରେ ଜିଲ୍ଲା ଜନଗଣନା ପୁସ୍ତିକା (District Census Handbook) ପ୍ରସ୍ତୁତିକୁ ସୁଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉପଖଣ୍ଡ ସ୍ତରୀୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁନୀଲ କୁମାର କେର୍କେଟା ଅଧ୍ୟକ୍ଷତାକରି ୨୦୨୭ ଜନଗଣନାର ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ (DCHB) ପ୍ରସ୍ତୁତି ସହ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଓ ସମୟସୀମା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ DCHB ପ୍ରସ୍ତୁତି ପାଇଁ ବିଭିନ୍ନ ବିଭାଗରୁ ସଠିକ୍ ତଥ୍ୟ ସଂଗ୍ରହ, ତଥ୍ୟର ଗୁଣାତ୍ମକ ଯାଞ୍ଚ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପନ ଏବଂ କ୍ଷେତ୍ରସ୍ତରରେ ଜନଗଣନା କାର୍ଯ୍ୟକ୍ରମରେ ଗୃହ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସମେତ ସମସ୍ତ ସ୍ଥାପନାର ସଠିକ୍ ତାଲିକାକରଣ ଏବଂ ଅନ୍ୟାନ୍ୟ ଜନଗଣନା କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁଯାୟୀ ସଫଳତାର ସହ ସମ୍ପାଦନ କରିବା ଉପରେ ପ୍ରଶିକ୍ଷଣରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି ଜନଗଣନା କ୍ଷେତ୍ର କାର୍ଯ୍ୟ ସହ ସମ୍ପୃକ୍ତ ୧୦ଟି ପ୍ରମୁଖ ଏଲିମେଣ୍ଟ ଉପରେ ବିସ୍ତୃତ ପର୍ଯ୍ୟାଲୋଚନା କରାଯାଇ, ସଠିକ୍ ତଥ୍ୟ ସଂଗ୍ରହ, ତାଲିକାକରଣ ପ୍ରକ୍ରିୟା ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟ ସମ୍ପାଦନ ସମ୍ବନ୍ଧୀୟ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲl।
ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ସମୟବଦ୍ଧ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସର ବିସ୍ତାରସହ ଆଲୋକପାତ କରିଥିଲେ ।
ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା, ସହାୟକ ଉପଜିଲ୍ଲପାଳ ଶ୍ରୀମତୀ ଚନ୍ଦ୍ରଗିରି ଗାୟତ୍ରୀ , କନ୍ସଲଟାଣ୍ଟ ଶ୍ରୀ ଏମ୍. ଶ୍ରୀନିବାସ ଏବଂ ଡି.ସି.ଓ., ଓଡ଼ିଶା ଶ୍ରୀ ସନ୍ତୋଷ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ପ୍ରଶିକ୍ଷଣ ରେ ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତିରେ ତହସିଲଦାର, ରାଜସ୍ୱ ନିରୀକ୍ଷକ (ଆର୍.ଆଇ.), ସହକାରୀ ରାଜସ୍ୱ ନିରୀକ୍ଷକ (ଏ.ଆର୍.ଆଇ.), ରେଭେନ୍ୟୁ ସୁପରଭାଇଜର ଓ ଅମୀନଙ୍କ ଭୂମିକା, କ୍ଷେତ୍ରସ୍ତରୀୟ ଅନୁସନ୍ଧାନ ପ୍ରକ୍ରିୟା ଏବଂ ତଥ୍ୟ ସଂଗ୍ରହର ମାନଦଣ୍ଡ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଡିଜିଟାଲ ପ୍ରକ୍ରିୟାରେ ତଥ୍ୟ ସଂଗ୍ରହ ପାଇଁ ମୋବାଇଲ ଆପ୍ର ସ୍ଥାପନ, ବ୍ୟବହାର ଓ ପରିଚାଳନା ସମ୍ପର୍କରେ ପ୍ରାୟୋଗିକ ତାଲିମ ଦିଆଯିବା ସହ ଜିଲ୍ଲାର ଆର୍.ଆଇ. ଓ ସମ୍ପୃକ୍ତ ଅଧିକାରୀମାନଙ୍କ ସୁବିଧା ପାଇଁ ଜିଲ୍ଲାସ୍ତରୀୟ ହେଲ୍ପ ଡେସ୍କ ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଥିଲା।
ଗ୍ରାମ ଓ ସହରାଞ୍ଚଳର ଭୌଗୋଳିକ ସୀମା, ସାମାଜିକ ଓ ଅର୍ଥନୈତିକ ସ୍ଥିତି, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଏବଂ ଭିତ୍ତିଭୂମି ସୁବିଧା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସଠିକତା ଓ ନିର୍ଭୁଲତା ବଜାୟ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ ନେବାକୁ ଆର୍.ଆଇ.ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ତାଲିମରେ ମତପ୍ରକାଶ ପାଇଥିଲା ଯେ, ଜିଲ୍ଲା ଜନଗଣନା ପୁସ୍ତିକାରେ ସଂଗୃହୀତ ନିର୍ଭୁଲ ତଥ୍ୟ ଭବିଷ୍ୟତରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ ରୂପାୟନରେ ସହାୟକ ହେବ।
ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଜନଗଣନା ପ୍ରଭାରୀ ତଥା ପ୍ରଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଆଚାର୍ଯ୍ୟ ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।