ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ): ବିଶ୍ୱ ନିଶା ନିବାରଣ ଦିବସ ଏବଂ ଅବୈଧ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧୀ ଆନ୍ତର୍ଜାତୀୟ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଦାନ କରିଥିଲେ।ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କାର୍ଯାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନଙ୍କ ଅଧକ୍ଷତାରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ସରଙ୍ଗୀ ଚିକିତ୍ସା ବିଭାଗ, ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି), ଅବକାରୀ ବିଭାଗ ଏବଂ ବ୍ରହ୍ମାକୁମାରୀ ସଂସ୍ଥାର ସମ୍ବଳ ବ୍ୟକ୍ତିମାନେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଯେ ନିଶାମୁକ୍ତ ସମାଜ ହିଁ ନିଶାମୁକ୍ତ ରାଷ୍ଟ୍ର ଗଠନର ମୂଳ ଆଧାର। ଯୁବପିଢ଼ିଙ୍କୁ ନିଶାର କବଳରୁ ମୁକ୍ତ କରି ମୁଖ୍ୟସ୍ରୋତକୁ ଫେରାଇ ଆଣିବା ସହ ନିରନ୍ତର ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।ଅବକାରୀ ନିରୀକ୍ଷକ ଜ୍ୟୋତିର୍ମୟ ପଟେଲ ହେରୋଇନ ପରି ମାରାତ୍ମକ ନିଶାଦ୍ରବ୍ୟର ଭୟାବହତା ସମ୍ପର୍କରେ ସଚେତନ କରିଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମ୍ବଳ ବ୍ୟକ୍ତି ବୈଧ ଓ ଅବୈଧ ନିଶାଦ୍ରବ୍ୟ ମଧ୍ୟରେ ପାର୍ଥକ୍ୟ ବୁଝାଇଥିଲେ। ଶିଶୁ ମଙ୍ଗଳ କମିଟି ପକ୍ଷରୁ ଅବୈଧ ଚୋରାଚାଲାଣରେ ଶିଶୁଙ୍କ ବ୍ୟବହାର ଉପରେ ଚିନ୍ତା ପ୍ରକାଶ କରାଯାଇଥିଲା ଏବଂ ବ୍ରହ୍ମାକୁମାରୀ ସଂସ୍ଥା ପକ୍ଷରୁ ଭଲ ଅଭ୍ୟାସ ଗଠନର ବାର୍ତ୍ତା ଦିଆଯାଇଥିଲା।ଏହି ଅବସରରେ ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା ସହ ନିଶାମୁକ୍ତି ସଚେତନତା ଉପରେ ରାସ୍ତା ନାଟକ ପରିବେଷଣ କରାଯାଇଥିଲା ଏବଂ ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଜିଲ୍ଲାର ମାଟୁପାଲି ଓ ତରଭା ଠାରେ କାର୍ଯ୍ୟରତ ଦୁଇଟି ନିଶାମୁକ୍ତି କେନ୍ଦ୍ର ସମ୍ପର୍କରେ ସୂଚନା ଦେବା ସହ ଜାତୀୟ ନିଶାମୁକ୍ତି ହେଲ୍ପଲାଇନ୍ ୧୪୪୪୬ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ। ସେ ୨୦୪୭ ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.