ଓଡ଼ଗାଁ ଏନ୍ଏସିରେ ଲୋକ କଲ୍ୟାଣ ମେଳା: ପିଏମ୍ ସ୍ୱନିଧି ଯୋଜନାରେ ହିତାଧିକାରୀଙ୍କୁ ଋଣ ପାଇଁ ପ୍ରୋତ୍ସାହନ, ଆମ ଶୌଚାଳୟ’ର ଲୋକାର୍ପଣ,

0

ଓଡ଼ଗାଁ, ୨୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଲୋକ କଲ୍ୟାଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବ୍ୟାଙ୍କର ଅଧିକାରୀ ମାନେ ଯୋଗଦେଇଥିଲେ। ମେଳାରେ ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ଯୋଗ୍ୟ ହିତାଧିକାରୀମାନଙ୍କୁ ସହଜ ସର୍ତ୍ତରେ ଋଣ ପ୍ରଦାନ କରିବା ସହ ଏହାର ସୁବିଧା ସମ୍ପର୍କରେ ସଚେତନ କରାଯାଇଥିଲା। ବ୍ୟାଙ୍କ ଅଧିକାରୀମାନେ ହିତାଧିକାରୀଙ୍କୁ ଏହି ଯୋଜନାର ଲାଭ ଉଠାଇ ସ୍ୱାବଲମ୍ବୀ ହେବାକୁ ପ୍ରୋତ୍ସାହିତ କରିଥିଲେ। ଏନ୍ଏସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩୮ ଜଣ ଷ୍ଟ୍ରିଟ୍ ଭେଣ୍ଡର ପିଏମ୍ ସ୍ୱନିଧି ଯୋଜନାରେ ଋଣ ପାଇ ଉପକୃତ ହୋଇଥିବା ବେଳେ ଆହୁରି ୧୯ ଜଣ ହିତାଧିକାରୀ ଋଣ ପାଇବା ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି। ଏହି ଅବସରରେ ଓଡ଼ଗାଁ ଏନ୍ଏସି ପକ୍ଷରୁ ବସ୍ ଷ୍ଟାଣ୍ଡ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ‘ଆମ ଶୌଚାଳୟ’ର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ କରାଯାଇ ଏହାକୁ ଲୋକାର୍ପଣ କରାଯାଇଥିଲା। ବସଷ୍ଟାଣ୍ଡରେ ରହିଥିବା ଉକ୍ତ ପରିତ୍ୟକ୍ତ ଶୌଚାଳୟ ନିମନ୍ତେ ପ୍ରତ୍ୟହ ମହିଳା ଓ ପୁରୁଷ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ରାମ ସାଗର ଜଳାଶୟ ରାସ୍ତା ଓ ବାହ୍ୟ ପରିବେଶ ପୁତି ଗନ୍ଧରେ ଫାଟି ପଡୁଥିଲା। ସ୍ଥାନୀୟ ଜନସାଧାରଣ ଏନେଇ ଅଭିଯୋଗ ରଖିଥିବା ବେଳେ ଏହାର ପୁନରୁଦ୍ଧାର ନିମନ୍ତେ “ସକାଳ” ଖବରକାଗଜରେ ଏନେଇ ଖବର ପରିବେଷଣ କରାଯାଇଥିଲା । ବିଳମ୍ବ ହେଲେ ମଧ୍ୟ ଉକ୍ତ ଶୌଚାଳୟ’ର ପୁନରୁଦ୍ଧାର କାର୍ଯ୍ୟ ଦ୍ୱାରା ସାଧାରଣ ଲୋକଙ୍କୁ ସ୍ୱଚ୍ଛ ଓ ସୁବିଧାଜନକ ସ୍ୱାସ୍ଥ୍ୟକର ପରିବେଶ ମିଳିବ ବୋଲି ମତ ପ୍ରକାଶ ପାଇଛି। ମେଳାରେ ଏନ୍ଏସି କର୍ମଚାରୀ, ବ୍ୟାଙ୍କ ପ୍ରତିନିଧି ଓ ବହୁ ସଂଖ୍ୟକ ହିତାଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.