ଓଡ଼ଗାଁ, ୨୩.୬ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ମଦନପୁର ଗ୍ରାମର ବିପ୍ର ବଳିଆରସିଂଙ୍କ ପୁଅ ଯୁବ ଆଇନଜୀବୀ ଓମ୍ ବଳିୟାରସିଂ(୩୪)ଙ୍କ ଭୁବନେଶ୍ୱରରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବାରୁ ପରିବାର, ବନ୍ଧୁବର୍ଗ ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଓମ୍ ବଳିୟାରସିଂ ଭୁବନେଶ୍ୱର ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନ ପ୍ରାକ୍ଟିସ୍ କରୁଥିଲେ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ ସମୟରେ କାର୍ଯ୍ୟ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଟଙ୍କପାଣି ରୋଡ଼ ଓଭରବ୍ରିଜ ନିକଟରେ ତାଙ୍କ ବାଇକ୍ର ଭାରସାମ୍ୟ ହରାଇଥିଲା। ଫଳରେ ବାଇକ୍ଟି ବ୍ରିଜର ପାର୍ଶ୍ୱ କାନ୍ଥରେ ଧକ୍କା ଖାଇଥିଲା। ଦୁର୍ଘଟଣାରେ ଓମ୍ ବ୍ରିଜ୍ ତଳକୁ ଖସିପଡିଥିବା ବେଳେ ସେଠାରେ ଥିବା ଏକ ଲୁହା ରଡ଼ ତାଙ୍କ ମୁଣ୍ଡରେ ଗଳି ଯାଇ ସେ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ (୬ ନମ୍ବର) ଏବଂ ପରେ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକେ ଓ ସହକର୍ମୀମାନେ ଏମ୍ସରେ ପହଞ୍ଚିଥିଲେ। ପରେ ଆଇନଜୀବୀ ସହକର୍ମୀମାନଙ୍କ ପକ୍ଷରୁ ତାଙ୍କ ମରଶରୀରକୁ ପଦଯାତ୍ରାରେ ଭୁବନେଶ୍ୱର ବାର ଆସୋସିଏସନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ମରଶରୀରକୁ ଜନ୍ମମାଟି ମଦନପୁର ଗ୍ରାମକୁ ଅଣାଯାଇଥିଲା। ଗ୍ରାମରେ ମରଶରୀର ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆତ୍ମୀୟ-ସ୍ୱଜନ, ବନ୍ଧୁବର୍ଗ ଓ ଗ୍ରାମବାସୀମାନେ ଶେଷ ଦର୍ଶନ କରି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଗ୍ରାମ ଶ୍ମଶାନରେ ତାଙ୍କ ୪ ବର୍ଷର କୁନି ପୁଅ ମୁଖାଗ୍ନି ପ୍ରଦାନ କରିଥିଲା। ଏହି ହୃଦୟବିଦାରକ ଦୃଶ୍ୟ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ମୃତ୍ୟୁ ପରେ ଓମ୍ ବଳିୟାରସିଂଙ୍କ ପରିବାର ପକ୍ଷରୁ ଏମ୍ସରେ ତାଙ୍କ ଚକ୍ଷୁଦାନ କରାଯାଇଥିବା ଜଣାପଡ଼ିଛି। ପରିବାରର ଏହି ମହାନ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
Sign in
Sign in
Recover your password.
A password will be e-mailed to you.