ବ୍ଲକ ସ୍ତରୀୟ ‘ବିକାଶଧାରା ଓଡ଼ିଶା ସାରା’ ଜନସମ୍ବାଦ କାର୍ଯ୍ୟକ୍ରମ ଉଦଯାପିତ

0

ଓଡ଼ଗାଁ, ୨୩।୬(ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବ୍ଲକ ସ୍ତରୀୟ ‘ବିକାଶଧାରା ଓଡ଼ିଶା ସାରା’ ଜନସମ୍ବାଦ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମଙ୍ଗଳବାର ପୂର୍ବାହ୍ନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋଡସ୍ଥିତ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଛଅ ଦିନ ଧରି ଚାଲିଥିବା ଏହି ଜନସମ୍ବାଦ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ଓ ବିକାଶମୂଳକ କାର୍ଯ୍ୟର ହିସାବ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଓ ଅତିରିକ୍ତ ତହସିଲଦାର ପବିତ୍ର ମୋହନ ସେଠୀ ପ୍ରମୁଖ ଯୋଗଦେଇ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ପାନୀୟ ଜଳ ଓ ପରିମଳ, ସାମାଜିକ ସୁରକ୍ଷା, ଗ୍ରାମୀଣ ସଡ଼କ ଓ ଗୃହ ନିର୍ମାଣ, ଜୀବିକା ବିକାଶ, ଦକ୍ଷତା ବୃଦ୍ଧି, ଅନ୍ନପୂର୍ଣ୍ଣା ଯୋଜନା, ଅନ୍ତ୍ୟୋଦୟ ଗୃହ, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ବିକାଶ ଓ ମତ୍ସ୍ୟଚାଷ ଭଳି ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌, ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସହାୟକ ଉପକରଣ ଏବଂ ମୁଖ୍ୟମନ୍ତ୍ରୀ କଲ୍ୟାଣୀ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଶିକ୍ଷକ ଭାବଗ୍ରାହୀ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଜିପିଓ ବିଶ୍ୱଜିତ ଜେନା ଓ ଶିକ୍ଷକ ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

Leave A Reply

Your email address will not be published.