ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ସମ୍ପର୍କରେ ଆଲୋଚନା ଓ କର୍ମଶାଳା

0

ପାରମ୍ପରିକ ଏବଂ ଅଣ-ପାରମ୍ପରିକ ଚାଷ ଉପରେ ଗୁରୁତ୍ୱ

ଓଡ଼ଗାଁ, ୨୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ସଭାଗୃହରେ ‘ବିକାଶ ଧାରା ଓଡ଼ିଶା ସାରା’ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ଜନସମ୍ପର୍କ କାର୍ଯ୍ୟକ୍ରମ–୨୦୨୬ ଅବସରରେ ‘କୃଷକ ସମ୍ବାଦ’ ଅଧୀନରେ ବ୍ଲକ ସ୍ତରୀୟ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଏବଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆତ୍ମାର ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତିବାଳା ରଣା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଜିତ କୁମାର ନାୟକ, ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ପ୍ରକାଶ ଚନ୍ଦ୍ର ପଣ୍ଡିତ ଏବଂ ଭାରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ ସ୍ନେହାଂଶୁ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ ପାରମ୍ପରିକ, ଜୈବିକ ଓ ଅଣ-ପାରମ୍ପରିକ କୃଷି ପଦ୍ଧତି ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ପ୍ରୋତ୍ସାହନ ଯୋଜନାର ସୁଯୋଗ ନେଇ କୃଷକମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ବିଶୋଧିତ ବିହନ ଓ ଏହାର ସଠିକ ବ୍ୟବହାର ଉପରେ ଗୋଡ଼ିପଡ଼ା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ଶ୍ରୀନିବାସ ପ୍ରଧାନ ଏବଂ ଜଗନ୍ନାଥ ପାଣିଗ୍ରାହୀ ମତାମତ ରଖିଥିଲେ। ଏହି ଅବସରରେ ବିଡିଓ ପ୍ରିତିବାଳା ରଣା ନିଜ ଅନୁଭୂତି ବାଣ୍ଟି କହିଥିଲେ ଯେ, ନୟାଗଡ଼ର ମୁଗ ଡାଲିର ସ୍ୱାଦ ସମଗ୍ର ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
ଜମି ମାଲିକାନା ରେକର୍ଡରୁ ମୃତ ବ୍ୟକ୍ତିଙ୍କ ନାମ ବାଦ ଦେବା, ଚାଷୀ ଓ ଭାଗଚାଷୀଙ୍କ ଅଧିକାର ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଅବସରପ୍ରାପ୍ତ ବନ ବିଭାଗର ବରିଷ୍ଠ ଅଧିକାରୀ ସୁରେଶ ଚନ୍ଦ୍ର ହୋତା ନିଜ ଅନୁଭବ ଆଧାରରେ ଜୈବିକ ପଦ୍ଧତିରେ କରୁଥିବା ବିଭିନ୍ନ ଚାଷ ସମ୍ପର୍କରେ କୃଷକମାନଙ୍କୁ ଉପଯୋଗୀ ସୂଚନା ପ୍ରଦାନ କରିଥିଲେ।
ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କୃଷକ କର୍ମଶାଳାରେ ଯୋଗଦେଇ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ବ୍ଲକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.