ବାଲେଶ୍ଵର, ତା–୧୯/୦୬/୨୦୨୬:ଆଜି ପୂର୍ବାହ୍ନରେ ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଂଚାୟତର ବଡ଼କିଆ ଗ୍ରାମ ଠାରେ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲାସ୍ତରୀୟ, ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଜିଲ୍ଲାର ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ମକଡ୍ରିଲ ଅନୁଷ୍ଠିତ ହୋଇଛି । ବଡ଼କିଆ ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସିଂ ଉଦଘାଟନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଅତିରିକ୍ତ ଜ଼ିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ସାରା ରାଜ୍ୟରେ ମକଡ୍ରିଲ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାର ସମସ୍ତ ବ୍ଲକ ତଥା ୧୪୪ ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି । ବଡ଼କିଆ ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲରେ ଏନ.ଡି.ଆର.ଏଫ., ଓ.ଡ୍ରା.ଫ ବାହିନୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ସେ ସମ୍ପର୍କିତ କୌଶଳ ପ୍ରଦର୍ଶିତ ହୋଇଥିଲା । ଏନ.ଡି.ଆର.ଏଫ.ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ ଏବଂ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ । ଓସଡାମା (OSDMA) ସହଯୋଗରେ ଅନୁଷ୍ଠିତ ଏହି ମକଡ୍ରିଲରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଆସିଥିବା ପର୍ଯ୍ୟବେକ୍ଷକ ଶ୍ରୀ ଆରଣ୍ୟକ ମିଶ୍ର ଉପସ୍ଥିତ ରହି ନିଜର ପ୍ରତିକ୍ରିୟା ରଖିଥିଲେ । ଜିଲ୍ଲାସ୍ତରୀୟ ମକଡ୍ରିଲ୍ କାର୍ଯ୍ୟକ୍ରମରେ , ବଡ଼କିଆ ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସରପଞ୍ଚ ଶ୍ରୀମତୀ ଆରତୀ ଦାସ , ସହାୟକ ଜ଼ିଲ୍ଲାପାଳ ଶ୍ରୀ ପ୍ରତାପ କୁମାର ବେହେରା ଓ ଅତିରିକ୍ତ ଗୋଷ୍ଠୀ ଉନୟନ୍ନ ଅଧିକାରୀ, ବାଲେଶ୍ୱର ସଦର ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ଓ ଯନ୍ତ୍ରପାତିଗୁଡିକର ସ୍ଥିତି ସଂପର୍କରେ ସଠିକ ତଥ୍ୟ ହାସଲ କରିବା ଲାଗି ମକଡ୍ରିଲ ସହ ପୂର୍ବ ସହାୟକ ହୋଇଥାଏ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜନସାଧାରଣ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା । ବାଲେଶ୍ଵର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ରାଉତ, ଏନ.ଡି.ଆର.ଏଫ. ଟିମ କମାଣ୍ଡର, ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଶ୍ରୀ ଅବନୀକାନ୍ତ ଭୂୟାଁ ଓ ସମ୍ପର୍କ ସ୍ୱେଛାସେବି ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଜେନା ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.