ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ – କୃଷି ଓ ଗ୍ରାମ୍ୟ ବିକାଶ ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା

0 1

ବଲାଙ୍ଗିର(୨୭/୦୫): ଓଡ଼ିଶା ସରକାରଙ୍କ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ କରି କୃଷି ଓ ଗ୍ରାମ୍ୟ ବିକାଶ ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଏହି ଅବସରରେ ସେ ଦେଓଗାଁ ସ୍ଥିତ ଚିନି କଳ ପରିଦର୍ଶନ କରି ଏହାର ପୁନରୁଦ୍ଧାର ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଥିଲେ ଏହି ଚିନି କଳ ପୁନରୁଦ୍ଧାର ହେଲେ ବଲାଙ୍ଗିର ଚାଷୀ ଅଧିକ ସଶକ୍ତ ହେବେ ଏବଂ ଜିଲ୍ଲାର ଅର୍ଥନୀତିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ। ଚିନି କଳ ପୁନଃ ଚାଲିଲେ ଚାଷୀମାନେ ଚାଷ କ୍ଷେତ୍ରରେ ଉନ୍ନତି କରିପାରିବେ। ଏହାର ଶୀଘ୍ର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ପରେ ସେ କୃଷକମାନଙ୍କ ପାଇଁ ସୁସଂଗଠିତ ଓ ସୁଦୃଢ ବଜାର ବ୍ୟବସ୍ଥା ନିମନ୍ତେ ପାଟଣାଗଡ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ କୁସୁମକାନି ଠାରେ ନିର୍ମାଣାଧୀନ ମଡେଲ ମଣ୍ଡିର କାର୍ଯ୍ୟ ନିରୀକ୍ଷଣ କରିଥିଲେ।
ଶେଷରେ ଜିଲ୍ଲାରେ ପ୍ରସ୍ତାବିତ ନୂତନ କୃଷି ମହାବିଦ୍ୟାଳୟ ପାଇଁ ଚିହ୍ନଟ ହୋଇଥିବା ସ୍ଥାନକୁ ସେ ପରିଦର୍ଶନ କରି କାର୍ଯ୍ୟର ଦ୍ରୁତ ଅଗ୍ରଗତି ଓ ଭବିଷ୍ୟତ ଉନ୍ନୟନ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, କୃଷି କ୍ଷେତ୍ର ବିକାଶ ଏବଂ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳରେ ସଶକ୍ତ କରିବାରେ ଏହି ମହାବିଦ୍ୟାଳୟ ସହାୟକ ହେବ। ବଲାଙ୍ଗିର ଭଳି ଦାଦନ ପ୍ରବଣ ଅଞ୍ଚଳରେ ଏଭଳି ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାପିତ ହେଲେ ଅଞ୍ଚଳର ଆର୍ଥିକ ଓ ଶିକ୍ଷାଗତ ବିକାଶ ତ୍ୱରାନ୍ୱିତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପ୍ରସ୍ତାବିତ କୃଷି ମହାବିଦ୍ୟାଳୟ ଦ୍ୱାରା ଅତ୍ୟାଧୁନିକ ଜ୍ଞାନ କୌଶଳ ସହ କୃଷି, ଗବେଷଣା ଓ ଆନୁଷଙ୍ଗିକ କ୍ଷେତ୍ରରେ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ।
ଏହି ଗସ୍ତ ସମୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତରଣୀ ସୁନା, ଆଈ ପି ଏଲ ର ପ୍ରମୋସନ ମ୍ୟାନେଜର ଶ୍ରୀ ଦୂର୍ଗା ପ୍ରସାଦ ଦ୍ଵିବେଦୀ, ଉପନିବନ୍ଧକ ସମବାୟ ସମିତି ସମୂହ ଶ୍ରୀ ପ୍ରମୋଦ କୁମାର ବରିହା, ଜେନେରାଳ ମ୍ୟାନେଜର, ବିଜୟାନନ୍ଦ ସମବାୟ ଚିନି କଳ ଶ୍ରୀ ସତଦଳ ମିଶ୍ରଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.