ନୟାଗଡ଼(ବିଶ୍ଵଜିତ ନାୟକ):- ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ଆସନ୍ତା ୨୫ ତାରିଖ ସୋମବାର ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି ବିଜୁ ଜନତା ଦଳ । ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରାଜ୍ୟ ସରକାରଙ୍କ ଅପରଗତା ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିଜୁଳି କାଟ ହେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଏବେ ପରିସ୍ଥିତି ଭୟଙ୍କର ସମୟରେ ବିଭିନ୍ନ ଆଳ ଦେଖାଉଥିବା ଅଭିଯୋଗ କରିଛନ୍ତି । ସାଧାରଣ ଲୋକ, ରୋଗୀ ଓ ଛାତ୍ରଛାତ୍ରୀମାନେ ବିଦ୍ୟୁତ୍ ବିଭ୍ରାଟ କାରଣରୁ ନାହିଁ ନଥିବା ହଇରାଣ ହେଉଛନ୍ତି । ଭାରପ୍ରାପ୍ତ ଟାଟା ପାୱାର ଯେଭଳି ଖାମଖିଆଲି ଢଙ୍ଗରେ ବିଜୁଳି ଶକ୍ତି ପରିଚାଳନା କରି ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଘୋର ସଙ୍କଟ ଭିତରକୁ ଠେଲୁଛି । ବିଜୁ ଜନତା ଦଳ ଏହାର ଦୃଢ଼ ନିନ୍ଦା କରିବା ସହିତ ତୁରନ୍ତ ଏହାର ପ୍ରତିକାର ପାଇଁ ଦାବୀ ରଖିଛି। ସ୍ମାର୍ଟ ମିଟର ବସାଇ ଅଘୋଷିତ ଭାବରେ ରାତି ଅଧିଆ ଲାଇନ କାଟି ଦେଉଥିବା ଟାଟା ପାୱାର ଯେତେବେଳେ ବିଦ୍ୟୁତ୍ ଶୁଳ୍କ ଆଦାୟରେ ଏକ ଘଣ୍ଟା ବି ବିଳମ୍ବ କରୁନାହିଁ, ସେତିକି ବେଳେ ମରାମତି ଆଳରେ ଘଣ୍ଟା ଘଣ୍ଟା, ଦିନ ଦିନ ଧରି ବିଜୁଳି କାଟିବା, ଉପଭୋକ୍ତାଙ୍କୁ ଅନ୍ଧାରରେ ରଖିବା, ଲୋ- ଭୋଲଟେଜ ସମସ୍ୟା ସୃଷ୍ଟିକରି ଲକ୍ଷ ଲକ୍ଷ ଟଙ୍କାର ମୋଟର, କମ୍ପୁଟରକୁ ପୋଡି ଅଚଳ କରିଦେବା , ରୋଗୀ, ଵୃଦ୍ଧ, ଶିଶୁଙ୍କୁ ଗରମରେ ସଢ଼ାଇ ମାରିବା, ସ୍ୱାସ୍ଥ୍ୟକେନ୍ଦ୍ର ଓ ପାନୀୟ ଜଳ ଯୋଗାଣରେ ଅଚଳାବସ୍ଥା ସୃଷ୍ଚି ହେବା, ଅଫିସ ଦପ୍ତରର କମ୍ପ୍ୟୁଟରକୁ ନିକମା କରି ଲୋକଙ୍କ କାମରେ ବ୍ୟାଘାତ ସୃଷ୍ଟି କରିବା , ପୁଣି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ଭଳି ଉପଭୋକ୍ତା – ବିରୋଧୀ ପଦକ୍ଷେପରେ ସାମାନ୍ୟ ହେଳା କରୁନାହିଁ ଟାଟା ପାୱାର । ବିଜେପି ସରକାର ତିନି ଶହ ୟୁନିଟ୍ ବିଦ୍ୟୁତ୍ ବିଲ୍ ଛାଡ କରିବାରେ ସରକାରୀ ଘୋଷଣା ନାମା ଶୀତଳ ଭଣ୍ଡାରକୁ ଚାଲି ଯାଇଛି। ସମଗ୍ର ଜିଲ୍ଲାରକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ, ୩ ଶହ ୟୁନିଟ୍ ମାଗଣ ବିଦ୍ୟୁତ୍, ମାତ୍ରଧିକ ଦେୟ ଆଦାୟ କମାଇବା, କୃଷି କ୍ଷେତକୁ ମାଗଣ ବିଦ୍ୟୁତ୍ ଯୋଗାଣ ପାଇଁ ନୟାଗଡ଼ ବିଧାୟକ ଦାବି ରଖିଛନ୍ତି । ଆସନ୍ତା ୨୫ ତାରିଖ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ସମ୍ମିଳନୀରେ ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ପୈାରାଞ୍ଚଳ ସଭାପତି ଦାଶରଥି ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ କହଁର, କ୍ଷୀରୋଦ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ବେହେରା, ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା ପ୍ରମୂଖ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.