କେନ୍ଦ୍ରାପଡା:୨୨/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଅବସ୍ଥିତ ଆବାସିକ ଟ୍ୟୁଟୋରିଆଲ୍ “ଆଦର୍ଶ ଗୁରୁକୁଳ” ଚଳିତ ବର୍ଷର +୨ ପରୀକ୍ଷାରେ ଐତିହାସିକ ସଫଳତା ହାସଲ କରି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସଂସ୍ଥାରୁ ପରୀକ୍ଷା ଦେଇଥିବା ସମୁଦାୟ ୨୫ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଏହି ସଫଳତା ଫଳରେ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଛି। ଏହି ଫଳାଫଳରେ ବିଶେଷ କଥା ହେଉଛି ୪ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ମାର୍କ ହାସଲ କରି ସଂସ୍ଥାର ସୁନାମକୁ ଆଉ ମଜବୁତ କରିଛନ୍ତି। ସ୍ମୃତିଦୀପା ମହାନ୍ତି ୫୬୧ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାବେଳେ, ମଞ୍ଜୁପ୍ରଭା ସାହୁ ୫୨୩, ଅନନ୍ୟା ପ୍ରିୟଦର୍ଶିନୀ ଦାଶ ୫୧୨ ଓ ଝାନସି ରାଣୀ ଦେହୁରା ୫୦୯ ମାର୍କ ପାଇ ଉତ୍କୃଷ୍ଟ ପରିଣାମ ଦେଖାଇଛନ୍ତି। ଉଜ୍ଜ୍ୱଳ ପଣ୍ଡା ୪୮୮ ମାର୍କ ପାଇ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ସଂସ୍ଥାର ଏହି ସଫଳତା ପଛରେ ଶୃଙ୍ଖଳିତ ପାଠପଢ଼ା ପରିବେଶ, ଅନୁଭବୀ ଅଧ୍ୟାପକମାନଙ୍କ ନିୟମିତ ମାର୍ଗଦର୍ଶନ, ନିରନ୍ତର ପରୀକ୍ଷା ପ୍ରଣାଳୀ ଓ ଆବାସିକ ସୁବିଧା ମୂଳ ଭୂମିକା ନେଇଛି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ନିରଞ୍ଜନ ବେହେରା ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସୁସ୍ଥ ଓ ଶିକ୍ଷାମୂଳକ ପରିବେଶରେ ଅଭ୍ୟାସ କରିବା ଫଳରେ ଛାତ୍ରଛାତ୍ରୀ ମାନେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଏକାଗ୍ର ହୋଇପାରୁଛନ୍ତି।
ଏହି ଅଭୂତପୂର୍ବ ସଫଳତା ଅବସରରେ ପ୍ରାଣୀ ବିଜ୍ଞାନର ପ୍ରାଧ୍ୟାପକ ଡ଼ଃ ନିତ୍ୟାନନ୍ଦ ଦାଶ, ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାପୁଜୀ ମହାପାତ୍ର ଓ ଗଣିତ ବିଭାଗର ଅଧ୍ୟାପକ ଭୂଲୋକ ସିଂହ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅନୁଷ୍ଠାନର ବରିଷ୍ଠ ପରିଚାଳକ ବାଇଧର ସାର ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସଫଳତା ଆଦର୍ଶ ଗୁରୁକୁଳକୁ ଶିକ୍ଷା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ଏହା ଅଞ୍ଚଳରେ ଆହୁରି ନୂତନ ସଫଳତାର ଦିଗ ଖୋଲିଦେବ ବୋଲି ଆଶା କରାଯାଉଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post