“ରାହୁଲ ଗାନ୍ଧୀଙ୍କ ବୟାନ ଗଣତାନ୍ତ୍ରିକ ମର୍ଯ୍ୟାଦା ଓ ଜନମତର ଖୋଲା ଅପମାନ”

0 1

 ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତ୍ରୀ ବିଜୟାଲକ୍ଷ୍ମୀ ଦାଶଙ୍କ ଦୃଢ଼ ନିନ୍ଦା

ସାଲେପୁର: ଲୋକସଭାର ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ସାମ୍ପ୍ରତିକ ବକ୍ତବ୍ୟକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତ୍ରୀ ବିଜୟାଲକ୍ଷ୍ମୀ ଦାଶ ଦୃଢ଼ ସ୍ୱରରେ ନିନ୍ଦା କରିଛନ୍ତି। ବିଜେପି ନେତୃତ୍ୱଙ୍କ ଅନୁସାରେ, ଏହି ବୟାନ କେବଳ ଅତ୍ୟନ୍ତ ଆପତ୍ତିଜନକ ଓ ଦୁର୍ଭାଗ୍ୟଜନକ ନୁହେଁ, ବରଂ ଏହା ଗଣତାନ୍ତ୍ରିକ ମର୍ଯ୍ୟାଦା, ସାମ୍ବିଧାନିକ ଗରିମା ଏବଂ ଭାରତୀୟ ଜନସାଧାରଣଙ୍କ ପବିତ୍ର ଜନମତ ପ୍ରତି ଏକ ଖୋଲାଖୋଲି ଅପମାନ। କ୍ରମାଗତ ନିର୍ବାଚନୀ ପରାଜୟ ଏବଂ ଜନତାଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ହେବା ଫଳରେ ସୃଷ୍ଟି ହୋଇଥିବା ହତାଶା ଏବେ କଂଗ୍ରେସ ନେତାଙ୍କ ଭାଷା, ଆଚରଣ ଓ ରାଜନୈତିକ ଚିନ୍ତାଧାରାରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି।

ଯେତେବେଳେ ସମଗ୍ର ଦେଶ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକାଶ, ସୁରକ୍ଷା ଏବଂ ସ୍ୱାଭିମାନର ଏକ ନୂତନ ଯୁଗ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି, ସେତିକିବେଳେ ବିରୋଧୀ ଦଳର ଏଭଳି ସ୍ତରହୀନ ଆଚରଣ ସେମାନଙ୍କର ବ୍ୟାକୁଳତା ଓ ରାଜନୈତିକ ଦେବାଳିଆପଣକୁ ହିଁ ପଦାରେ ପକାଉଛି। ଯେଉଁମାନଙ୍କୁ ଦେଶର ଜନସାଧାରଣ ଶାସନର ଅନେକ ସୁଯୋଗ ଦେଇ ମଧ୍ୟ ଶେଷରେ ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ଆଜି ନୈତିକତା ହରାଇ ଗଣତନ୍ତ୍ରର ପାଠ ପଢ଼ାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ନେତ୍ରୀ ଶ୍ରୀମତୀ ଦାଶ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସଶକ୍ତ ନେତୃତ୍ୱରେ ଭାରତ ଆଜି ବିଶ୍ୱ ଦରବାରରେ ନିଜର ଶକ୍ତି, ପ୍ରତିଷ୍ଠା ଓ ସାମରିକ ସାମର୍ଥ୍ୟର ଅଭୂତପୂର୍ବ ପ୍ରଦର୍ଶନ କରିପାରିଛି। ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ, ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲରାନ୍ସ’ର ନୀତି, ଦୃଢ଼ ସୀମା ସୁରକ୍ଷା, ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ଏବଂ ଗରିବ କଲ୍ୟାଣର ଅସଂଖ୍ୟ ଐତିହାସିକ ଯୋଜନା ଦେଶର ୧୪୦ କୋଟି ନାଗରିକଙ୍କ ବିଶ୍ୱାସକୁ ଜିତିପାରିଛି। ଏହାର ସୁଫଳ ସ୍ୱରୂପ, ଆଜି ଆନ୍ତର୍ଜାତୀୟ ମଞ୍ଚରେ ଭାରତର ସ୍ୱରକୁ ଅତ୍ୟନ୍ତ ଗମ୍ଭୀରତାର ସହ ସ୍ୱୀକାର କରାଯାଉଛି।

ଲୋକସଭାରେ ବିରୋଧୀ ଦଳ ନେତା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ କେବଳ ଶସ୍ତା ରାଜନୈତିକ ବୟାନବାଜି ପାଇଁ ଉଦ୍ଦିଷ୍ଟ ମଞ୍ଚ ନୁହେଁ। ଏହା ଅତ୍ୟନ୍ତ ଦାୟିତ୍ୱବୋଧ, ଗାମ୍ଭୀର୍ଯ୍ୟ ଏବଂ ଗଣତାନ୍ତ୍ରିକ ଶିଷ୍ଟାଚାର ଦାବି କରେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଶ୍ରୀ ରାହୁଲ ଗାନ୍ଧୀ କ୍ରମାଗତ ଭାବେ ତଥ୍ୟହୀନ ଓ ଭ୍ରମାତ୍ମକ ବକ୍ତବ୍ୟ ଦେଇ ଦେଶର ସ୍ୱାଧୀନ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ କଠଘରାରେ ଠିଆ କରିବାର ଏକ ବିପଜ୍ଜନକ ରାଜନୀତି କରୁଛନ୍ତି।

ରାଜନୈତିକ ବିରୋଧ ଗଣତନ୍ତ୍ରର ସ୍ୱାଭାବିକ ପ୍ରକ୍ରିୟା ହୋଇପାରେ, କିନ୍ତୁ ରାଷ୍ଟ୍ରହିତକୁ ପଛରେ ପକାଇ ବ୍ୟକ୍ତିଗତ ଆକ୍ରୋଶ ଏବଂ କ୍ଷମତା ପାଇଁ ବ୍ୟାକୁଳତାକୁ ଦେଶ କଦାପି ସ୍ୱୀକାର କରିବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ପ୍ରକୃତରେ ସେହି ପବିତ୍ର ଜନମତର ଅପମାନ, ଯାହାକୁ ଦେଶର ଜନସାଧାରଣ ସମ୍ପୂର୍ଣ୍ଣ ବିଶ୍ୱାସର ସହ ପ୍ରଦାନ କରିଛନ୍ତି। ଭାରତର ସଚେତନ ନାଗରିକ ଏବେ ନକାରାତ୍ମକତା ଓ ଅରାଜକତାର ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି। ଦେଶ ଆଜି କେବଳ ନିର୍ଣ୍ଣାୟକ ନେତୃତ୍ୱ, ବିକାଶ ଏବଂ ‘ରାଷ୍ଟ୍ର ପ୍ରଥମ’ ଚିନ୍ତାଧାରା ସହ ଦୃଢ଼ ଭାବେ ଛିଡ଼ା ହୋଇଛି, ଏବଂ ବିରୋଧୀ ଦଳର ଏହି ପରାଜୟ ମାନସିକତା ହିଁ ସେମାନଙ୍କୁ ସବୁଠାରୁ ଅଧିକ ବିଚଳିତ କରୁଛି ବୋଲି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.