ଜନଜାତୀୟ ଗରିମା ଉତ୍ସବ-୨୦୨୬ ଅନ୍ତର୍ଗତ ‘ଜନ ଭାଗିଦାରୀ ଅଭିଯାନ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

0 1

ବଲାଙ୍ଗିର (୧୮/୦୫) ଜନଜାତୀୟ ଗରିମା ଉତ୍ସବ-୨୦୨୬ ଅନ୍ତର୍ଗତ ‘ଜନ ଭାଗିଦାରୀ ଅଭିଯାନ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ବେଲପଡାରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଚଳିତ ମାସର ୧୮ ତାରିଖରୁ ଆରମ୍ଭହୋଇ ୨୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାର ୨୫୬ଟି ଅନୁସୂଚିତ ଜନଜାତି ଅଧ୍ୟୁଷିତ (DA-JGUA) ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ ଗ୍ରାମରେ ଜାରି ରହିବ । ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ, ଜନଜାତି ଐତିହ୍ୟର ସମୃଦ୍ଧି ଏବଂ ଜନଜାତି ଅଧିକାର ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୃକ୍ତ ଗ୍ରାମଗୁଡିକରେ ସାମୁଦାୟୀକ ଅଂଶଗ୍ରହଣକୁ ବୃଦ୍ଧି କରାଯିବ । ଲୋକମାନଙ୍କ ସମସ୍ୟାଗୁଡିକୁ ଶୁଣିବା ଏବଂ ସେଗୁଡିକର ସମାଧାନ ପାଇଁ ପଦକ୍ଷେପ ନିଆଯିବ । ସମ୍ପୃକ୍ତ ଗ୍ରାମଗୁଡିକରେ ସ୍ୱାସ୍ଥ୍ୟ ଶିବିର (Health Camp) ଆୟୋଜନ କରାଯାଇ ସିକିଲସେଲ, ଯକ୍ଷ୍ମା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହା ସହିତ ଲୋକମାନଙ୍କୁ ଉଦିଷ୍ଟ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନ କରାଯାଇ, ବିଶେଷତଃ ଜନଜାତି ସମ୍ପ୍ରଦାୟଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରାଯିବ । ଏହି ଅଭିଯାନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଚାଲୁଥିବା ସରକାରୀ ଯୋଜନା ଓ ଲାଭର ସୁବିଧା ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବାକୁ ସୁନିଶ୍ଚିତ କରାଯିବ । ଜିଲ୍ଲାପାଳ ମହୋଦୟ କାର୍ଯ୍ୟକ୍ରମର ଉଦଘାଟନ କରି, ସମସ୍ତ ବିଭାଗଙ୍କୁ ସମନ୍ୱୟ ରକ୍ଷା କରି ଏହାକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ସହିତ ଅନ୍ୟାନ୍ୟ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.