ଓଡ଼ଗାଁ, ୨୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ପୋଲିସ ନକଲି ଶିକ୍ଷାଗତ ସାର୍ଟିଫିକେଟ ଓ ମାର୍କସିଟ୍ ଦେଇ ଦୀର୍ଘ ୧୨ ବର୍ଷ ଧରି ଚାକିରୀ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ବୁଧବାର ଗିରଫ କରିଛି। କୋର୍ଟରେ ତାଙ୍କର ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଗିରଫ ଶିକ୍ଷକ ଜଣକ ହେଲେ ବଧିସାହି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଜିତେନ୍ଦ୍ର କୁମାର ଘଡ଼େଇ (୪୨) । ଯିଏ କି ନୟାଗଡ଼ ସଦର ଥାନା ଅନ୍ତର୍ଗତ ଦୁରୁଦୁରା ଗ୍ରାମର ବାସିନ୍ଦା। ସୂଚନା ଅନୁଯାୟୀ, ସେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ୦୬/୦୪/୨୦୧୧ ତାରିଖରେ ଓଡ଼ିଶା ଶିକ୍ଷା ବିଭାଗରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସେହି ଜାଲ ସାର୍ଟିଫିକେଟ ଆଧାରରେ ପଦୋନ୍ନତି ଓ ଦରମା ଗ୍ରହଣ କରି ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା। ଓଡ଼ଗାଁର ତତ୍କାଳୀନ ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାଞ୍ଜଳୀ ସାହୁଙ୍କ ପକ୍ଷରୁ ସନ୍ଦେହ ହେବାରୁ ସେ ଘଡ଼େଇଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା (+୨) ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ (+୩)ଙ୍କୁ ଅନୁରୋଧ କରିଥିଲେ। ଯାଞ୍ଚରେ ଉଭୟ ସଂସ୍ଥା ଘଡ଼େଇଙ୍କ ସାର୍ଟିଫିକେଟ ଓ ମାର୍କସିଟକୁ ନକଲି ବୋଲି ସ୍ପଷ୍ଟ କରିଥିଲେ।
ଏହା ପରେ ୦୩/୧୧/୨୦୨୧ରେ ଶରଣକୁଳ ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲା ରୁଜୁ ପରେ ଅଭିଯୁକ୍ତ ଶିକ୍ଷକ ସ୍କୁଲକୁ ଯାଉନଥିବା ସୂଚନା ମିଳିଛି।
ଆଇଆଇସି ସୁଜିତ କୁମାର ଦାସଙ୍କ ନିର୍ଦ୍ଦେଶରେ ପୋଲିସ ଶେଷରେ ଘଡ଼େଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Sign in
Sign in
Recover your password.
A password will be e-mailed to you.