ଗଜପତିରେ ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମ : ୩୦୦ରୁ ଅଧିକ ମହିଳା ଏସଏଚଜି ସଦସ୍ୟାଙ୍କ ବିଶାଳ ସଚେତନତା ଶୋଭାଯାତ୍ରା

0 2

ମହିଳାଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ :

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତିର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଅଞ୍ଚଳରେ ‘ନାରୀ ଶକ୍ତି ବନ୍ଦନା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଛନ୍ତି। ଆଜି ଅପରାହ୍ନ ୦୪:୦୦ ଘଟିକା ସମୟରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ନିକଟସ୍ଥ ଛକଠାରୁ ଏକ ବିଶାଳ ସଚେତନତା ରାଲି ବାହାରିଥିଲା। ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ହାତରେ ସଚେତନତା ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ ଧରି ମହିଳାମାନେ ସମାଜରେ ସ୍ୱାସ୍ଥ୍ୟ ଓ ସ୍ୱାଧୀନତାର ବାର୍ତ୍ତା ପ୍ରସାର କରିଥିଲେ। ପରବର୍ତ୍ତୀ ସମୟରେ ଆର ଏସ ଇ ଟି ଆଇ ଅଡିଟୋରିୟମ ରେ ଏକ ସ୍ୱତନ୍ତ୍ର ସଚେତନତା ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ମହିଳାଙ୍କ ଜୀବନଶୈଳୀରେ ସ୍ୱାସ୍ଥ୍ୟ , ପୋଷଣ ଏବଂ ପରିମଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା କିପରି ସେମାନଙ୍କ ପରିବାରର ଜୀବିକାକୁ ପ୍ରଭାବିତ କରେ , ସେ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଏହି ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବା। ବିଶେଷ କରି ମାତୃ ଗର୍ଭରୁ ଶେଷ ସମୟ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଯେଉଁ ସୁରକ୍ଷା ଚକ୍ର ପ୍ରସ୍ତୁତ କରିଛନ୍ତି , ତାର ସୁଫଳ ଯେପରି ପ୍ରତିଟି ମହିଳାଙ୍କ ପାଖରେ ପହଞ୍ଚିପାରିବ , ସେ ନେଇ ଏକ ବ୍ୟାପକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ସାମାଜିକ ସୁରକ୍ଷା ସହିତ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ହିଁ ଏହି ଅଭିଯାନର ମୂଳ ଅଭିପ୍ରାୟ ବୋଲି କହିଥିଲେ।
ଆଲୋଚନା ଚକ୍ରରେ ମହିଳାମାନଙ୍କ ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟ , ସଠିକ୍ ପୋଷଣ ଏବଂ ପରିମଳର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସ୍ୱଚ୍ଛତା ଓ ଉତ୍ତମ ସ୍ୱାସ୍ଥ୍ୟ କିପରି ଜଣେ ମହିଳାର ଆତ୍ମବିଶ୍ୱାସ ବଢ଼ାଇବା ସହ ତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥାଏ , ସେ ସମ୍ପର୍କରେ ବିଶେଷଜ୍ଞମାନେ ମତ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ DPM OLM ମିଶନ ଶକ୍ତି ଶ୍ରୀ ତିମନ୍ ବାରା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , କିଶୋର ନ୍ୟାୟ ବୋର୍ଡ ଅଧିକାରୀ ଶ୍ରୀମତୀ ଭଗ୍ୟଲକ୍ଷ୍ମୀ ନାୟକ , ମହିଳା ଓ ଶିଶୁ ବିକାଶ ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏବଂ କାର୍ଯକାରୀ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣି ଭୁୟାଁ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.