ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସିଦ୍ଧାନ୍ତ ଆନୁକୂଲ୍ୟରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ପ୍ରବନ୍ଧ ସଙ୍କଳନ “ଓଡିଆ ସାହିତ୍ୟର ସ୍ୱରୋଦୟ” ଉତ୍କଳ ହିତୈଷିଣୀ ସମାଜର ସଭାଗୃହରେ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉନ୍ମୋଚିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସିଦ୍ଧାନ୍ତର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟ ଅତିଥି ଭାବେ ବାଙ୍କୀର କବିକେଶରୀ ଶ୍ରୀ ନବକିଶୋର ମହାରଣା , ମୁଖ୍ୟ ବକ୍ତା ଭାବେ ନରେନ୍ଦ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ହୃଷୀକେଶ ପଣ୍ଡା , ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗର ମୁଖ୍ୟ ଡ଼ଃ ବିପ୍ଳବ ରଞ୍ଜନ ପ୍ରଧାନ ଓ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଓ “ଓଡ଼ିଆ ସାହିତ୍ୟର ସ୍ୱରୋଦୟ” ର ରଚୟିତା ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।
ଏହି ଅବସରରେ ସ୍ୱନାମଧନ୍ୟ ବିଶିଷ୍ଟ ସାହିତ୍ୟିକ କବିକେଶରୀ ଶ୍ରୀ ନବକିଶୋର ମହାରଣାଙ୍କୁ “ସିଦ୍ଧାନ୍ତ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ରାଜେନ୍ଦ୍ର କୁମାର ରଥ ଅତିଥି ମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶ୍ରୀମତୀ ବବିତା ପୁରୋହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ପ୍ରବନ୍ଧ ସଙ୍କଳନ ଓଡିଆ ସାହିତ୍ୟର ସ୍ୱରୋଦୟର ଉଚ୍ଚ ପ୍ରଶଂସା କରିଥିଲେ। ଗବେଷଣାରତ ଛାତ୍ରଛାତ୍ରୀ ଏହି ପୁସ୍ତକରୁ ଅନେକ ତଥ୍ୟ ପାଇପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମାହାରୀ ନୃତ୍ୟ ଓ କୁଚିପୁଡ଼ି ନୃତ୍ୟ ପରିବେଷିଣ ହୋଇଥିଲା। କାର୍ଯ୍ୟକ୍ରମରେ ପାରଳାର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ମଞ୍ଚାସୀନ ଅତିଥି ବୃନ୍ଦ, ଉପସ୍ଥିତ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ସମସ୍ତ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post