ଓଡ଼ଗାଁ, ୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ଗ୍ରହଣ ଅବସରରେ ଦେବନୀତି ବନ୍ଦ ରହିବା ଘଟଣାକୁ ନେଇ ପୁଜା ପଣ୍ଡା ଓ ସାଧାରଣ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ସୋମବାର ରାତିରେ ପହଡ଼ ପରେ ମଙ୍ଗଳବାର ପୂର୍ବାହ୍ନରେ ଗ୍ରହଣ ପୂର୍ବ ପର୍ଯ୍ୟନ୍ତ ମନ୍ଦିରରେ କୌଣସି ନିୟମିତ ଦେବନୀତି, ଯଥା ମଙ୍ଗଳ ଆରତୀ ସହ ଅନ୍ୟାନ୍ୟ ନୀତି, ସମ୍ପନ୍ନ ହୋଇନଥିଲା। ପରେ ଗ୍ରହଣ ସର୍ବମୋକ୍ଷ ପରେ ମଙ୍ଗଳବାର ସନ୍ଧ୍ୟାରେ ଦେବନୀତି କାର୍ଯ୍ୟ ସମାପନ କରାଯାଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷିତରେ ମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ ନୀତି ସମ୍ପର୍କରେ ଏକ ବୈଠକ ଡକାଯାଇଥିଲା। କିନ୍ତୁ ଉପସ୍ଥିତ ମାନଙ୍କ କହିବା ଅନୁଯାୟୀ, ବୈଠକରେ ସଠିକ୍ ଆଲୋଚନା ହୋଇନଥିବା ସହ ଅନ୍ୟାନ୍ୟ ସ୍ଥାନର ଉଦାହରଣ ଦେଇ ବିଧିବ୍ୟବସ୍ଥା ଶୁଣାଇ ଦିଆଯାଇଥିଲା। ଉଲ୍ଲେଖନୀୟ ଯେ, ନୟାଗଡ଼ ଜିଲ୍ଲା ଓ ଓଡ଼ଗାଁ ଆଖପାଖ ଅନ୍ୟାନ୍ୟ ଦେବୋତ୍ତର ଅଧୀନସ୍ଥ ମନ୍ଦିରମାନଙ୍କରେ ଗ୍ରହଣ ପୂର୍ବ ପର୍ଯ୍ୟନ୍ତ ବିଧିବିଧାନ ଅନୁସାରେ ଦେବନୀତି ସମ୍ପାଦନ କରାଯାଇଥିଲା। ଏହା ସତ୍ତ୍ୱେ ଏହି ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିରରେ ନୀତି ବନ୍ଦ ରହିବାକୁ ନେଇ ଭକ୍ତମାନେ ଦୁଃଖ ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଘଟଣା ସମ୍ବନ୍ଧରେ ମନ୍ଦିର ପ୍ରଶାସନଙ୍କ କହିବା ଅନୁସାରେ ଏଠାରେ କୋହେନୁର ପଞ୍ଜୀକା ଆଧାରରେ ସମସ୍ତ ନୀତି ନିର୍ଘଣ୍ଟ ସ୍ଥିର ହୋଇଥାଏ । ତେବେ ଏହାର ସତ୍ୟାସତ୍ୟ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ନୟାଗଡ଼ ଦେବୋତ୍ତର ବିଭାଗଙ୍କ ସହ ସମ୍ପର୍କ ହୋଇପାରିନଥିଲା । ଭକ୍ତମାନେ ଘଟଣାର ସଠିକ୍ ତଦନ୍ତ କରି ଆଗାମୀ ଦିନରେ ଏପରି ଅନୁଚିତ ଘଟଣାର ପୁନରାବୃତ୍ତି ନହେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post