- ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ
ବ୍ରହ୍ମପୁର, ନଭେମ୍ବର: ଯୁବପିଢ଼ିଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ, ସ୍ଥାୟୀ ବିକାଶ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରସ୍ଥିତ ସରକାରୀ ପଲିଟେକ୍ନିକ୍ଠାରେ ଆଞ୍ଚଳିକ ଉର୍ଜା ମେଳା ୨୦୨୬ ଆୟୋଜିତ ହୋଇଛି । ଏଥିରେ ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ଶକ୍ତି ସଂରକ୍ଷଣ ଓ ସ୍ଥାୟୀ ଜୀବନଶୈଳୀ ଉପରେ ନିଜର ସୃଜନଶୀଳତା, ଜ୍ଞାନ ଓ ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିଥିଲେ।
ଦିନବ୍ୟାପୀ ଆୟୋଜିତ ଏହି ମେଳାରେ ପାଞ୍ଚଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିମଧ୍ୟରେ ଶକ୍ତି ଦକ୍ଷତା ଓ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ୬୫ଟି ଅଭିନବ ପ୍ରକଳ୍ପ ସହ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ପୋଷ୍ଟର ପ୍ରସ୍ତୁତି, ସୃଜନଶୀଳ ଲେଖନୀ ଓ ପ୍ରବନ୍ଧ ପ୍ରତିଯୋଗିତା, ଶକ୍ତି ଓ ପରିବେଶ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା ‘ବ୍ରେନ୍ କ୍ୱେଷ୍ଟ୍’ ଏବଂ ବିଷୟଭିତ୍ତିକ ନାଟକ ପ୍ରତିଯୋଗିତା ‘ଆକ୍ଟ ଟୁ ଇମ୍ପାକ୍ଟ’ ସାମିଲ ଥିଲା। ଛାତ୍ରଛାତ୍ରୀମାନେ ଶକ୍ତି ଦକ୍ଷତା, ଅକ୍ଷୟ ଶକ୍ତି, ଜଳବାୟୁ ପରିବର୍ତ୍ତନର ମୁକାବିଲା, ଶକ୍ତିର ଉତ୍ପାଦନଶୀଳ ବ୍ୟବହାର ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଉପରେ ବିଭିନ୍ନ ଅଭିନବ ଚିନ୍ତାଧାରା ଓ ବ୍ୟାବହାରିକ ସମାଧାନ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମକୁ ଟିପିଏସ୍ଓଡିଏଲ୍ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ ଏବଂ ବ୍ରହ୍ମପୁର ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷ ଶ୍ରୀ ପ୍ରବୋଧ କୁମାର ଶତପଥୀ ଉଦ୍ଘାଟନ କରିଥିଲେ। ଉଭୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ଏହି ମେଳାରୁ ମିଳିଥିବା ଶିକ୍ଷାକୁ ନିଜ ବିଦ୍ୟାଳୟ, ଘର ଓ ସମାଜରେ ପ୍ରୟୋଗ କରିବା ସହ ଅନ୍ୟମାନଙ୍କୁ ଶକ୍ତି ସଂରକ୍ଷଣ ପାଇଁ ପ୍ରେରିତ କରିବାକୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଏକ ସ୍ଥାୟୀ ଭବିଷ୍ୟତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉର୍ଜା ମେଳା ମାଧ୍ୟମରେ ଆମେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା ଓ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ସହ ଦାୟିତ୍ୱପୂର୍ଣ୍ଣ ଶକ୍ତି ବ୍ୟବହାର ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଚାହୁଁଛୁ। ପ୍ରତିଯୋଗୀମାନଙ୍କ ଉତ୍ସାହ ଓ ଅଭିନବ ଚିନ୍ତାଧାରା ଏକ ଶକ୍ତି ଦକ୍ଷ ଏବଂ ପରିବେଶ ସଚେତନ ସମାଜ ଗଠନରେ ଯୁବପିଢ଼ିଙ୍କ ଗୁରୁତ୍ୱକୁ ପ୍ରତିଫଳିତ କରୁଛି।”

କାର୍ଯ୍ୟକ୍ରମ ଶେଷରେ ପାଞ୍ଚଟି ଯାକ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଭଳି ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଯୁବପିଢ଼ିଙ୍କୁ ସ୍ଥାୟୀ ବିକାଶର ଅଭିଯାନ ସହ ଯୋଡ଼ିବା, ଦାୟିତ୍ୱପୂର୍ଣ୍ଣ ଶକ୍ତି ବ୍ୟବହାର ସମ୍ପର୍କରେ ସଚେତନତା କରିବା ଏବଂ ଏକ ସ୍ୱଚ୍ଛ ଓ ଶକ୍ତି ଦକ୍ଷ ଭବିଷ୍ୟତ ଗଠନରେ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଆସୁଛି।
ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଶ୍ରୀମତୀ ମଞ୍ଜୁ ଗର୍ଗ, ଶ୍ରୀ ପଙ୍କଜ କୁମାର ସିଂହ,ଚିଫ୍ – ସିଏସ୍ଆର୍ (ଟି ଆଣ୍ଡ ଡି), ଶ୍ରୀ ବିମନ କୁମାର ଘୋଷ, ଚିଫ୍ – କମର୍ସିଆଲ୍, ଶ୍ରୀ ମିଲିନ୍ଦ ପ୍ରଭାକର କୁଲକର୍ଣ୍ଣୀ, ଚିଫ୍ – ଅପରେସନ୍ସ ଏବଂ ଶ୍ରୀ ଦିଲ୍ଲୀପ କୁମାର ସାହୁ, ହେଡ୍ – ସିଏସ୍ଆର୍ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଅତିଥିମାନେ ଉପସ୍ଥିତ ଥିଲେ।