ପାଇଖାନା ଘରେ ଜୀବନ, ଅସହାୟ ମହିଳାଙ୍କୁ ସହାୟତା ଦାବି

0 2

କେନ୍ଦୁଝର,ତା୧/୩- ଚମ୍ପୁଆ ବ୍ଲକ,ଜ୍ୟୋତିପୁର ପଞ୍ଚାୟତ ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ସ୍ବର୍ଗତ ସନ୍ତୋଷ ବେହେରାଙ୍କ ସ୍ତ୍ରୀ ପତି ବେହେରା (୫୧) ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘର ନାହିଁ ବୋଲି ତାଙ୍କ ପାଇଖାନା
ଘରେ ସେ ରହୁଛନ୍ତି। ସେ ତାଙ୍କ ସ୍ବାମୀ ସହ ଦିନ ମଜୁରୀ କରି ଚଳିଯାଉଥିଲେ, ହେଲେ ସ୍ବାମୀ ଆରପାରିକୁ ଚାଲିଯିବା ପରେ ସେ ଏକୁଟିଆ ହୋଇ ଯାଇଛନ୍ତି। ପୂର୍ବରୁ ଥିବା ଝାଟି ମାଟି ଘରଟି ପୁନର୍ବାର ସଜାଡିବାକୁ ଅର୍ଥ ନ ଥିବାରୁ ତାହା ଧୀରେ ଧୀରେ ଭାଙ୍ଗି ପଡିଥିଲା । ସରକାରୀ ଯୋଜନାରେ ହୋଇଥିବା ପାଇଖାନା ଗୃହ ହିଁ ଥିଲା ପତି ବେହେରାଙ୍କ ଏକ ମାତ୍ର ଭରସା । ସେଇ ଦିନଠାରୁ ବର୍ଷ ବର୍ଷ ଧରି ପତି ପାଇଖାନା ଗୃହରେ ମୁଣ୍ଡ ଗୁଞ୍ଜି ରହି ଆସୁଥିଲେ ମଧ୍ୟ ତାଙ୍କ ପ୍ରତି କାହାର ଦୃଷ୍ଟି ପଡି ପାରିନଥିଲା । ତାଙ୍କୁ ନା ମିଳୁଛି ବିଧବା ଭତ୍ତା, ନା ମିଳୁଛି ସୁଭଦ୍ରା ଯୋଜନା। ସରକାରଙ୍କ ଯୋଜନା ସତେଯେମିତି ତାଙ୍କ ପାଇଁ ସାତ ସପନ । ଏପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଗୃହ ଖଣ୍ଡେ ମଧ୍ଯ ମିଳିପାରି ନାହିଁ ଯାହା ଫଳରେ ସେ ପାଇଖାନା ଗୃହରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି । ତେବେ ପଞ୍ଚାୟତରେ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ କାହା ଅବହେଳା ଲାଗି ଆଜି ପତି ବେହେରାଙ୍କ ପରି ଜଣେ ଅସହାୟ ମହିଳା ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ହୋଇ ପାଇଖାନା ଗୃହରେ ଆଶ୍ରୟ ନେଇଛନ୍ତି ତାହା ଉପରେ ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.