କାଗଜରେ ଯୋଜନା, ମାଟିରେ ଦୁଃଖ

0 2

ପାଣି–ବିଜୁଳି–ରାସ୍ତା–ସ୍ୱାସ୍ଥ୍ୟ ସୁବିଧା ବିନା ଦିନ କାଟୁଛି ଖଜୁରଗୁଡା ଗ୍ରାମବାସୀ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ସ୍ୱାଧୀନତାର ୭୯ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ମଧ୍ୟ ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ସଦର ବ୍ଲକ ଯୁଗସାଇପାଟଣା ପଂଚାୟତ ଅଧିନସ୍ଥ ଖଜୁରଗୁଡା ଗ୍ରାମ ଏହାର ଜ୍ୱଳନ୍ତ ଉଦାହରଣ। ସରକାରଙ୍କ ବିଭିନ୍ନ ଯୋଜନା ଘୋଷଣା ହେଉଥିଲେ ମଧ୍ୟ ଗ୍ରାମବାସୀମାନେ ପାଣି, ବିଜୁଳି, ରାସ୍ତା ଓ ସ୍ୱାସ୍ଥ୍ୟ ସେବା ପରି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି।
ଗ୍ରାମରେ ବସୁଧା ଯୋଜନା ଦୀର୍ଘ ୪ ବର୍ଷ ଧରି ପାଣି ଟେଂକ ନିର୍ମାଣ କାମ ସମ୍ପୂର୍ଣ ହୋଇଥିବା ସ୍ୱତେ ପାଣି ଯୋଗାଣ ବର୍ତମାନ ସୁଦ୍ଧା ହୋଇପାରିନି। ଫଳସ୍ୱରୂପ ପିଇବା ପାଣି ସମସ୍ୟା ଗମ୍ଭୀର ଅବସ୍ଥାରେ ରହିଛି ଏବଂ ଲୋକମାନେ ଦୂର ଦୂରାନ୍ତରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି।
ଏହା ସହ ବିଜୁଳି ସେବା ନ କହିବା ଭଲ । ବିଦ୍ୟୁତ ସଂଯୋଗ ନ ହେବା ଫଳରେ ଛାତ୍ରଛାତ୍ରୀଙ୍କ ପଢ଼ାଶୁଣା ଓ ଦୈନିକ ଜୀବନ ବ୍ୟାହତ ହେଉଛି।
ଗମନାଗମନ ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ। ପକ୍କା ରାସ୍ତାର ଅଭାବରୁ ବର୍ଷା ଦିନରେ ଗ୍ରାମଟି ପ୍ରାୟ ବିଚ୍ଛିନ୍ନ ହୋଇଯାଏ। ଆପତ୍କାଳୀନ ସମୟରେ ରୋଗୀଙ୍କୁ ହସ୍ପିଟାଲକୁ ନେବା ଦୁର୍ଲଭ ହୋଇପଡ଼ୁଛି।
ସ୍ୱାସ୍ଥ୍ୟ ସେବା ମଧ୍ୟ ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନ ସମାନ। ନିକଟରେ ଚିକିତ୍ସା କେନ୍ଦ୍ର ନଥିବାରୁ ଛୋଟ ରୋଗ ପାଇଁ ମଧ୍ୟ ଦୂରକୁ ଯିବାକୁ ପଡ଼ୁଛି। ଗର୍ଭବତୀ ମହିଳା ଓ ବୃଦ୍ଧଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁଛି।
ଏହି ପରିସ୍ଥିତିକୁ ନେଇ ଗ୍ରାମବାସୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରି ସମ୍ପୃକ୍ତ ପ୍ରଶାସନଙ୍କ ତ୍ୱରିତ ଦୃଷ୍ଟିଆକର୍ଷଣ ସହ ସମସ୍ତ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି। ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏଭଳି ଅବହେଳା ଦୂରଦୂରାନ୍ତ ଅଞ୍ଚଳର ଉନ୍ନତି ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି।

Leave A Reply

Your email address will not be published.