କେନ୍ଦ୍ରାପଡା:୨୩/୦୨(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ଅଞ୍ଚଳରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏକ ଯୁବକଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରାଯାଇଥିବା ଘଟଣା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। ସୂଚନା ଅନୁସାରେ, ସ୍ଥାନୀୟ ଏକ ଗ୍ରାମର ଯୁବକଙ୍କ ସହ କିଛି ଦିନ ଧରି ପଡ଼ୋଶୀଙ୍କ ସହ ଜମି ସମ୍ପର୍କିତ ବିବାଦ ଚାଲିଥିଲା। ଏହି ବିବାଦ ରବିବାର ଦିନ ହଠାତ୍ ହିଂସ୍ର ରୂପ ନେଇଥିବା ବେଳେ କିଛି ଦୁର୍ବୃତ୍ତ ମିଶି ଯୁବକଙ୍କୁ ଧାରୁଆ ଅସ୍ତ୍ର ଓ ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଯୁବକଙ୍କ ମୁଣ୍ଡ ଓ ହାତରେ ଗୁରୁତର ଚୋଟ ଲାଗିଥିବାରୁ ସେ ଘଟଣା ସ୍ଥଳରେ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ତୁରନ୍ତ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନେଇଯାଇଥିଲା। ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ବେଳେ ପରେ ମଧ୍ୟ କଟକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି।ଘଟଣା ପରେ ପୀଡ଼ିତ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି। ଏହି ଘଟଣାକୁ ନେଇ ଗ୍ରାମରେ ଟଣାଟଣି ପରିସ୍ଥିତି ଦେଖାଦେଇଥିବା ବେଳେ ପୁଲିସ ପକ୍ଷରୁ ଅଞ୍ଚଳରେ ପହରା ବଢ଼ାଯାଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ଚାଲୁଥିବା ଜମିବାଡ଼ି ବିବାଦ ନେଇ ପୂର୍ବରୁ ମଧ୍ୟ ଦୁଇପକ୍ଷ ମଧ୍ୟରେ ତର୍କବିତର୍କ ହୋଇଆସୁଥିଲା। ତଥାପି ପ୍ରଶାସନ ପକ୍ଷରୁ ସମୟରେ ପଦକ୍ଷେପ ନ ନିଆଯାଇଥିବାରୁ ଏପରି ଅପ୍ରିୟ ଘଟଣା ଘଟିଥିବାର ଅଭିଯୋଗ ହେଉଛି। ଘଟଣା ପରେ ଅଞ୍ଚଳରେ ଭୟ ଓ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.