ପୂର୍ବତଟ ରେଳ ଡିଭିଜନ ମହାପ୍ରବନ୍ଧକ ରେଳ ସୁରକ୍ଷା ଓ ସିଗନାଲ ଯାଞ୍ଚ କଲେ।

0

   କେନ୍ଦୁଝରଗଡ଼ ଷ୍ଟେସନରେ ନାଗରିକ ମଞ୍ଚ ଦାବିପତ୍ର ଦେଲା।                           

କେନ୍ଦୁଝର,ତା ୨୨/୨- ପୂର୍ବତଟ ରେଳ ଡିଭିଜନର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କାଲ କେନ୍ଦୁଝର ଗସ୍ତରେ ଆସି ସୁରକ୍ଷା ଯାଞ୍ଚ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଛନ୍ତି। ତାଙ୍କ ସହ ଖୋର୍ଦ୍ଧା ରୋଡ଼ ଡିଆରଏମ ଆଲୋକ ତ୍ରିପାଠୀ,ଆରପିଏଫ ସିକ୍ୟୁରିଟି  କମିଶନର ମିଥୁନ ସନି, ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଆସିଥିଲେ। ନୟାଗଡ଼-ଯଖପୁରା ସେକ୍ସନ ରେଳପଥ ସୁରକ୍ଷା ଯାଞ୍ଚ କରିବା ସହ ରେଳପଥ ଫିଟିଙ୍ଗ, ବିଭିନ୍ନ ସୁରକ୍ଷା ବ୍ୟବସ୍ଥା, ପାୱାର ସପ୍ଲାଇ କଥା ବୁଝିଥିଲେ। ସେମାନେ କେନ୍ଦୁଝର ଷ୍ଟେସନ ବୁଲି ଦେଖିବା ସହ ନୂତନ ନିର୍ମାଣ ତଦାରଖ କରିଥିଲେ। ଏଥିସହ ହରିଚନ୍ଦନପୁର ଷ୍ଟେସନରେ କିଛି କ୍ୱାର୍ଟର କାମ ଦେଖିଥିଲେ। ପୂର୍ବତଟ ରେଳ ମହାପ୍ରବନ୍ଧକ କେନ୍ଦୁଝର ଷ୍ଟେସନ ଠାରେ ରେଳ କର୍ମଚାରୀଙ୍କ ସମସ୍ୟା ବୁଝିବା ସହ ନୟାଗଡ଼ ଷ୍ଟେସନ ମାଷ୍ଟରଙ୍କୁ ୧୦ ହଜାର ଟଙ୍କା ଓ କେନ୍ଦୁଝର ଷ୍ଟେସନ ମାଷ୍ଟରଙ୍କୁ ୧୫ ହଜାର ଟଙ୍କା ପୁରସ୍କାର ବାବଦରେ ପ୍ରଦାନ କରିଥିଲେ। ଏଠରେ ପୂର୍ବତଟ ରେଳ ଡିଭିଜନର ବରିଷ୍ଠ ଅଧିକାରୀ ମାନେ ଥିବାବେଳେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ଏଥିସହ କେନ୍ଦୁଝର ନାଗରିକ ମଞ୍ଚ ସଭାପତି ହିମାଂଶୁ ଶେଖର କୁଅଁରଙ୍କ ନେତୃତ୍ୱରେ ଜିଲ୍ଲାରେ ରେଳ ସେବାର ବିକାଶ ଲାଗି ଆଲୋଚନା ହୋଇଥିଲା। ନାଗରିକ ମଞ୍ଚ କେନ୍ଦୁଝର ଷ୍ଟେସନ ଦେଇ ଅଧିକ ଟ୍ରେନ ଦିଲ୍ଲୀ ଯିବାକୁ ଦାବି ଦୋହରାଇ ଥିଲା, କେନ୍ଦୁଝର ଲିଙ୍କ ରେଳ ଦ୍ୱାରା ଧାମରା ସହ ଯୋଡିବାକୁ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ସବୁଠାରୁ ବଡ଼ ଦାବି ବଂଶପାଣି- ବଡ଼ବିଲ ରେଳ ଲିଙ୍କ ସିଧା ଯୋଡିବାକୁ ସମସ୍ତେ କହିଥିଲେ। ଏହି ଆଲୋଚନା ବେଳେ ମଞ୍ଚର ସମ୍ପାଦକ ସତ୍ୟରଞ୍ଜନ ସାମଲ ଓ ବରିଷ୍ଠ ସଦସ୍ୟ ସତ୍ୟଜିତ ସାମନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.