ଝାରସୁଗୁଡାରେ ଭୟାବହ ସଡ଼କ ଦୁର୍ଘଟଣା : ଟ୍ରେଲର–ପୋଲିସ ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ

0

ଝାରସୁଗୁଡା:

ଝାରସୁଗୁଡା ଜିଲ୍ଲାରେ ପୁଣିଥରେ ରକ୍ତାକ୍ତ ହେଲା ରାଜପଥ। ରବିବାର ଭୋର ୩ଟା ସମୟରେ NH-49 ସ୍ଥିତ ଏଚ୍ କଣ୍ଟାପାଲି ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ଗାଡି ମଧ୍ୟରେ ଭୟାବହ ମୁହାଁମୁହିଁ ଧକ୍କା ଘଟିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇ ଜୀବନ ସହ ଲଢ଼େଇ କରୁଛନ୍ତି।

ସୂଚନା ଅନୁସାରେ, ୮ ଜଣ ରିଜର୍ଭ ପୋଲିସ କର୍ମଚାରୀ ଏକ ବୋଲେରୋ (ଓଡି-୦୫-ସି-୫୪୪୦) ଯୋଗେ ଲଖନପୁର ବ୍ଲକର କୁମର ଗ୍ରାମରୁ ବିବାହ ଅନୁଷ୍ଠାନରେ ଯୋଗଦେଇ ବ୍ରଜରାଜନଗର ପଟୁ ଝାରସୁଗୁଡାକୁ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରଲର (ସିଜି-୦୪-ଏଚଡବ୍ଲ୍ୟୁ-୬୩୮୩) ଭୟଙ୍କର ଭାବେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ ବୋଲେରୋଟି ସମ୍ପୂର୍ଣ୍ଣ ଭାବେ ଚୂର୍ମାର ହୋଇଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଗାଡି ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ୫ ଜଣଙ୍କୁ ଡାକ୍ତର ଘଟଣାସ୍ଥଳରେ ମୃତ ଘୋଷଣା କରିଥିବାବେଳେ ୩ ଜଣଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ୨ ଜଣ ସଂକଟାପନ୍ନ ଅବସ୍ଥାରେ ବରଗଡ଼ର ବିକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଜଣେ ଝାରସୁଗୁଡାରେ ଚିକିତ୍ସାଧୀନ ଅଛନ୍ତି।

ମୃତକମାନେ ହେଲେ ଲଖନପୁରର ଲିଙ୍ଗରାଜ ଧୁରୁଆ (୫୦), କୁମ୍ଭାରବନ୍ଧର ଭକ୍ତ ମିର୍ଧା (୪୦), ସୁନ୍ଦରଗଡ଼ ଜିଲ୍ଲା ଚିଙ୍ଗେରକେଲାର ନିରଞ୍ଜନ କୁଜୁର (୫୮), ସରେଇପାଲିର କାଶୀରାମ ଭୋଇ (୪୦) ଓ ଟାଙ୍ଗରପାଲିର ଦେବଦତ୍ତ ସା (୪୦)। ଗୁରୁତର ଆହତମାନେ ହେଲେ ଗାୟତ୍ରୀନଗରର ଦୁବରାଜ ମିରିଗୀ (୩୫), ସମ୍ବଲପୁରର ରାଜୀବ ଭରାସାଗର (୩୦) ଓ ତାଳପଟିଆର ଆକାଶ କୁମାର ନାଇକ (୩୦)।

ଘଟଣାର ଖବର ପାଇ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ,ଜିଲ୍ଲାପାଳ କୁନାଲ ମୋଟିରାମ ଚଭନ ଓ ଏସ୍‌ପି ଗୁଣ୍ଡୁଲା ରାଘବେନ୍ଦ୍ର ରେଡ୍ଡୀ ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ।

ଦୁର୍ଘଟଣା ଘଟାଇଥିବା ଟ୍ରଲର ଓ ତାହାର ଚାଳକଙ୍କୁ ସଦର ଥାନାରେ ଅଟକ ରଖାଯାଇଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.