ୱାର ଭେଟେରାନ ସୁଦର୍ଶନ ସାହୁଙ୍କୁ ଶେଷ ସମ୍ମାନ

0

ଓଡଗାଁ, ୨୧।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବାହାଡାଝୋଲା ମାଣିକପାଟଣା ଗ୍ରାମର ବୟୋବୃଦ୍ଧ ଆର୍ମି ୱାର ଭେଟେରାନ ସୁଦର୍ଶନ ସାହୁଙ୍କ ଶନିବାର ସ୍ଥାନୀୟ ଡାକ୍ତରଖାନାରେ ୮୮ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ସାହୁ କିଶୋର ଅବସ୍ଥାରେ ଭାରତୀୟ ସେନାବାହିନୀର ଆର୍ମି ସର୍ଭିସ କୋରରେ ଯୋଗଦେଇ ଦୀର୍ଘ ସମୟ ଦେଶସେବାରେ ନିଯୁକ୍ତ ରହିଥିଲେ। ୧୯୬୧, ୧୯୬୫ ଓ ୧୯୭୧ ମସିହାର ଯୁଦ୍ଧରେ ସେ ସାମିଲ ହୋଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିଲେ। ସଭା-ସମିତିରେ ଅତିଥିଭାବେ ଯୋଗଦେଇ ସେ ନିଜର ଯୁଦ୍ଧ ଅନୁଭବ ବାଖାଣୀବା ସମୟରେ ଭାବପ୍ରବଣ ହୋଇପଡ଼ୁଥିଲେ । ଏବଂ “ଜୟ ଜବାନ, ଜୟ ହିନ୍ଦୁସ୍ଥାନ” ସ୍ଲୋଗାନରେ ଯୁବପୀଢ଼ୀଙ୍କ ମନରେ ଦେଶପ୍ରେମର ଜ୍ୱାଳା ଜାଗୃତ କରୁଥିଲେ। ଶନିବାର ସକାଳେ ପରିବାର ସଦସ୍ୟମାନେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ତାଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିବା ଘୋଷଣା କରିଥିଲେ। ସ୍ଥାନୀୟ ଆଞ୍ଚଳିକ ପୂର୍ବତନ ସୈନିକ ସଂଘ ତରଫରୁ ରାଜ୍ୟ ପୂର୍ବତନ ସୈନିକ ସଂଘ ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଦର୍ଶ କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ କୀର୍ତନ ଜେନା, କୁବେର ବାରିକ ଓ ବିଭୁପ୍ରସାଦ ସାହୁ ତାଙ୍କ ମରଦେହକୁ ତ୍ରିରଙ୍ଗା ପତାକାରେ ଘୋଡ଼ାଇ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ। ଦୁଇ ପୁଅ, ବୋହୁ ଓ ଝିଅ-ଜ୍ୱାଇଁଙ୍କ ଉପସ୍ଥିତିରେ ଗରିମାମୟ ପରିବେଶରେ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ତାଙ୍କ ଶେଷ ଇଚ୍ଛା ଅନୁଯାୟୀ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ୟପକ୍ଷେ, ରେସମା ସଭାପତି ବିଜୟ କୁମାର ଦାଶ ଓ ରାଜ୍ୟ ପୂର୍ବତନ ସୈନିକ ସଂଘ ସଭାପତି ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସମେତ ଶତାଧିକ ଭେଟେରାନ ଶୋକବାର୍ତ୍ତା ପ୍ରେରଣ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଦେଶସେବା ଓ ତ୍ୟାଗ ଅଞ୍ଚଳବାସୀଙ୍କ ପାଇଁ ସଦା ସ୍ମରଣୀୟ ହୋଇ ରହିବ।

Leave A Reply

Your email address will not be published.