ଚନ୍ଦ୍ରଗ୍ରହଣ ପାଇଁ ବଦଳିଲା କୁଲାଡ଼ର ପ୍ରସିଦ୍ଧ ଦୋଳଯାତ୍ରା ସୂଚୀ: ମାର୍ଚ୍ଚ ୨ରେ ଅନୁଷ୍ଠିତ ହେବ ‘ବଡ଼ଭେଟ’

0 2

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଐତିହାସିକ କୁଲାଡ଼ ପୀଠରେ ଚଳିତ ବର୍ଷ ୫୦୦ ବର୍ଷର ପୁରାତନ ପ୍ରସିଦ୍ଧ ଦୋଳଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
​ଗ୍ରହଣ ପାଇଁ ନୀତିକାନ୍ତିରେ ପରିବର୍ତ୍ତନ ​ପୁରୋହିତ ପୁରୁଷୋତ୍ତମ ମିଶ୍ରଙ୍କ ପାଞ୍ଜି ଗଣନା ଅନୁଯାୟୀ, ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ପାରମ୍ପରିକ ରୀତିନୀତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ଣ୍ଣିମା ପରିବର୍ତ୍ତେ ଚତୁର୍ଦଶୀ ତିଥିରେ ହିଁ ଚାରି ଠାକୁରଙ୍କ ମିଳନ ପର୍ବ ଅନୁଷ୍ଠିତ ହେବ।
​ଯାତ୍ରା ସୂଚୀ ଓ କାର୍ଯ୍ୟକ୍ରମ:
​ଚଳିତ ବର୍ଷ ଫଗୁ ଦଶମୀ ଠାରୁ ଆରମ୍ଭ ହେବାକୁ ଥିବା ଏହି ପାଞ୍ଚ ଦିନିଆ ଯାତ୍ରାର କାର୍ଯ୍ୟସୂଚୀ ନିମ୍ନମତେ ସ୍ଥିର କରାଯାଇଛି:
​୨୬ ଫେବୃଆରୀ: ଫଗୁ ଦଶମୀ (ଯାତ୍ରା ଆରମ୍ଭ)
​୨୭ ଫେବୃଆରୀ: ଏକାଦଶୀ ଫଗୁ
​୨୮ ଫେବୃଆରୀ: ଚୋରି ଭେଟ
​୦୧ ମାର୍ଚ୍ଚ: ସାନ ଭେଟ
​୦୨ ମାର୍ଚ୍ଚ: ମୁଖ୍ୟ ଆକର୍ଷଣ ‘ବଡ଼ ଭେଟ’ (ରାତି ୮ଟା ସମୟରେ)
​ବିଶେଷତ୍ୱ: ୧୭୬୦ ମସିହାରୁ ଚାଲିଆସୁଥିବା ଏହି ପରମ୍ପରାରେ ଭଞ୍ଜ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଚାରି ଠାକୁର— ଶ୍ରୀ ନାରାୟଣ ସ୍ୱାମୀ, ଶ୍ରୀ ଜଗନ୍ନାଥ ସ୍ୱାମୀ, ଶ୍ରୀ ଗୋପୀନାଥ ସ୍ୱାମୀ ଓ ଶ୍ରୀ ରଘୁନାଥ ସ୍ୱାମୀଙ୍କର ଭବ୍ୟ ମିଳନ କୁଲାଡ଼ ବଡ଼ଦାଣ୍ଡରେ ଅନୁଷ୍ଠିତ ହେବ। ରାଜଗୁରୁ ଶ୍ରୀ ତେଜ ନଥାନ ଆୟଙ୍ଗାର ପ୍ରଥମେ ଫଗୁ ପକାଇ ‘ହରିହର ଭେଟ’ ସମ୍ପନ୍ନ କରିବେ।
​ ପ୍ରଶାସନିକ ସଜବାଜ:
​ଭଞ୍ଜନଗର ତହସିଲଦାର ଶ୍ରୀମତୀ ଅଭିପ୍ସା ପଟନାୟକ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବଡ଼ଦାଣ୍ଡ ସଫେଇ ସହ ଯାତ୍ରା ସମୟରେ ଉଠା ଦୋକାନୀଙ୍କୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ମାନିତ ଅତିଥି ଭାବେ ଥାନା ଏସ୍.ଆଇ ଜୋଶ୍ନା ସାହୁ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।
​ଏହି ବୈଠକରେ ଗୋଲାପଡା ସରପଞ୍ଚ ସୁକାନ୍ତ ମଳିକ, କୁଲାଡ଼ ସରପଞ୍ଚ ପ୍ରତିନିଧି ରାଜୀବ ରାଜୁ ଙ୍କ ସହିତ ବିଶିଷ୍ଟ ସମାଜସେବୀ, ହିନ୍ଦୁ ସଂଗଠକ ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ଉପଦେଷ୍ଟା ମୁରଲୀଧର ପଣ୍ଡା ମନ୍ଦିର ପରିଚାଳନା କମିଟି ସଭାପତି ବ୍ରହ୍ମାନନ୍ଦ ଦାସ, ସମ୍ପାଦକ ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିର ଯାତ୍ରା ମେଲଣ କାର୍ଯ୍ୟକ୍ରମ ବୈଠକ କୁ ନାରାୟଣ ପାଟଣା ର ଅରକ୍ଷିତ ପରିଛା ସମ୍ପୂର୍ଣ୍ଣ ଭାବରେ ଦାୟିତ୍ୱ ର ସହିତ ପରିଚାଳନା କରିଥିବାରୁ ଦେଖାଦେଇଛି।
​କୁଲାଡ଼ର ଏହି ଐତିହାସିକ ମେଳଣ ଦେଖିବା ପାଇଁ ଗଞ୍ଜାମ ସମେତ ପଡ଼ୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି।

Leave A Reply

Your email address will not be published.