କେନ୍ଦୁଝର,ତା୧୯/୨-ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମର ସ୍ଥାୟୀ ବାସିନ୍ଦା ହେଉଛନ୍ତି ନୃସିଂହ ନାୟକ। ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ତିନି ଝିଅ। ତିନି ଝିଅଙ୍କ ବାହାଘର ସରିଯାଇଛି ଘରେ ବର୍ତ୍ତମାନ ସ୍ଵାମୀସ୍ତ୍ରୀ ରହୁଛନ୍ତି। ତେବେ ଦୀର୍ଘ ୧୮ବର୍ଷ ହେଲା ନୃସିଂହ ଅଭିଶପ୍ତ ଜୀବନ କାଟୁଛନ୍ତି ଦୁଇ ଗୋଡ଼ର ପାଦରେ ଛୋଟିଆ ଘା ହୋଇଥିଲା। ପରେ ପରେ ତାହା ସଂକ୍ରମିତ ହେବାରୁ ଶେଷରେ ଦୁଇ ପାଦର ଆଙ୍ଗୁଠି କଟକ ବଡ଼ ମେଡିକାଲରେ କଟାଗଲା। ତଥାପି ଦୁଃଖ ଗଲାନାହିଁ ଧୀରେ ଧୀରେ ପାଦ ସଂକ୍ରମଣ ହୋଇ ପଚିବାକୁ ଲାଗିଲା। କେନ୍ଦୁଝର ମେଡିକାଲରେ ପୁଣିଥରେ ଅପରେସନ ହେଲା। ବର୍ତ୍ତମାନ ବି ଘା ଶୁଖିନାହିଁ। ଯାହା ଅର୍ଥ ଥିଲା ତାଙ୍କର ସବୁ ସରିଗଲା। ସରପଞ୍ଚ, ବ୍ଳକ ଅଫିସ୍, ଜିଲ୍ଲାପାଳ ପର୍ଯ୍ୟନ୍ତ ଦୁଃଖ ଶୁଣେଇବାକୁ ଗଲେ। ୧୮ ବର୍ଷର ଦୁଃଖ ମଧ୍ୟରେ ସେ ପାଇଛନ୍ତି ଗୋଟେ ହୁଇଲ ଚେୟାର ଆଉ କିଛି ପାଇନାହାଁନ୍ତି। ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ଆର୍ଥିକ ସହାୟତା ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ସମସ୍ତଙ୍କୁ ଗୁହାରି କଲେ ବି କେହି ଶୁଣିଲେ ନାହିଁ ବୋଲି ସେ କୁହନ୍ତି। ବର୍ତ୍ତମାନ ସେ ହୁଇଲ ଚେୟାରରେ ବସି ରାଜରାସ୍ତା କଡ଼ରେ ଚଣା, ବିସ୍କୁଟ ବିକୁଛନ୍ତି। ତେବେ ଆହୁରି ଦୁଃଖର ବିଷୟ ତାଙ୍କ ଝିଆରୀ ତାଙ୍କୁ ଔଷଧ ଖର୍ଚ୍ଚ ପାଇଁ ୧୫୦୦ ଟଙ୍କା ଦେଇଥିଲେ। ସେ କିନ୍ତୁ ଔଷଧ ନ ଆଣି ସେହି ପଇସାରେ ରାସ୍ତା କଡ଼ରେ ଦୋକାନ ଖୋଲି ବସିଛନ୍ତି। ତାଙ୍କ ସହିତ ଆମ ପ୍ରତିନିଧି କଥାବାର୍ତ୍ତା ହେଲାବେଳେ ତାଙ୍କ ହୃଦୟର ଅକୁହା କଥା ଓ ଆଖିର ଲୁହ ଅନେକ କିଛି କହିଦେଉଥିଲା। ଦୈନିକ ଯାହା ରୋଜଗାର କରନ୍ତି ସ୍ଵାମୀ ସ୍ତ୍ରୀ କୌଣସି ମତେ ଚଳିଯାଉଛନ୍ତି। କୌଣସି ଦଳୀୟ ଲୋକ କିମ୍ବା ନେତା ମନ୍ତ୍ରୀ ତାଙ୍କ ଦୁଃଖ ଶୁଣୁନାହାଁନ୍ତି l ତେଣୁ ସେ ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦେଇଛନ୍ତି l ସମୟ କହିବ କେବେ ତାଙ୍କ ଶୁଖିଲା ଓଠ ହସ ଫୁଟିବ ନା ଏହିପରି ଆଖିଲୁହ ଓଠରେ ପିଇ ଜୀବନ ଯିବ। ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ତେଣୁ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.