ଇଓଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଦୁର୍ନୀତି ଅଭିଯୋଗ: ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଚେତାବନୀ

2

ଝାରସୁଗୁଡା, ୧୩/୨: ଝାରସୁଗୁଡାର ଏକ ଘରୋଇ ହୋଟେଲରେ ପୂର୍ବାହ୍ନ ୧୧ଟାରେ ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ଏବଂ ଝାରସୁଗୁଡା ପୌର ପରିଷଦ ପକ୍ଷରୁ ଏକ ସଂଯୁକ୍ତ ପ୍ରେସ ମିଟ୍‌ ଆୟୋଜିତ ହୋଇଥିଲା। ପ୍ରେସ ମିଟ୍‌ରେ ପୌରାଧକ୍ଷା ଇଓଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଅନାବଶ୍ୟକ ଭାବେ ଦସ୍ତଖତ ପାଇଁ ଚାପ ପକାଇବାର ଗୁରୁତର ଅଭିଯୋଗ ଆଣିଥିଲେ।

ପୌରାଧକ୍ଷା ରାନୀ ହାତୀ କହିଥିଲେ ଯେ, ସେ ଜଣେ ଅନୁସୂଚିତ ଜାତିର ମହିଳା ଓ ପ୍ରଥମଥର ପାଇଁ ରାଜନୀତିରେ ପ୍ରବେଶ କରିଥିବାରୁ ବର୍ତ୍ତମାନର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ତାଙ୍କୁ ସର୍ବଦା ମାନସିକ ଚାପ ଦେଇ ଫାଇଲରେ ସ୍ୱାକ୍ଷର କରିବାକୁ ବାଧ୍ୟ କରୁଛନ୍ତି।

ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା ଓ ଅନ୍ୟାନ୍ୟ କାଉନସିଲରମାନେ କହିଥିଲେ ଯେ, ଭାଜପା ପକ୍ଷରୁ ପୌରାଧକ୍ଷାଙ୍କ ବିରୋଧରେ ଆଣାଯାଇଥିବା ଅଭିଯୋଗ ସମସ୍ତେ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। ପୌର ପରିଷଦର ସମସ୍ତ ଉନ୍ନୟନ କାର୍ଯ୍ୟ ପୌର ଆଇନ ଓ ସରକାରୀ ନିୟମାବଳୀ ଅନୁଯାୟୀ କରାଯାଇଛି ବୋଲି ସେମାନେ ସ୍ପଷ୍ଟ କରିଥିଲେ।

ଜେଇଏମ୍‌ (GeM) ପୋର୍ଟାଲ୍‌ ମାଧ୍ୟମରେ ଗୋଷ୍ଠୀ ଶୌଚାଳୟ, ସାଧାରଣ ଶୌଚାଳୟ, ଏଲଇଡି ପ୍ରଦର୍ଶନୀ ବୋର୍ଡ ଓ ଫଗିଂ ମେସିନ୍‌ ଇତ୍ୟାଦି କ୍ରୟ ସରକାରୀ ଇ-ମାର୍କେଟ୍‌ ମାଧ୍ୟମରେ ନିୟମିତ ପ୍ରକ୍ରିୟାରେ କରାଯାଇଥିବା ଦାବି କରାଯାଇଛି। ସେହିପରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପାର୍କ ଉନ୍ନୟନ କାର୍ଯ୍ୟ ଏକ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ସମ୍ପାଦିତ ହୋଇଥିବା ଓ ଉଚ୍ଚ ଅଧିକାରୀଙ୍କ ଅନୁମୋଦନ ମିଳିଥିବା ଉଲ୍ଲେଖ କରାଯାଇଛି।

ମୁକ୍ତା ଯୋଜନା ଅନୁଯାୟୀ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟାରେ କରାଯାଇଥିବା ବିଜେଡି କର୍ମକର୍ତ୍ତାମାନେ କହିଥିଲେ। ଏହା କୌଣସି ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ ବୋଲି ସେମାନେ ଜଣାଇଥିଲେ।

ଅମୃତ ଯୋଜନା ଅଧୀନରେ ଲଗାଯାଇଥିବା ଗାର୍ଡେନ ବେଞ୍ଚ ପିଛା ୨୨ ହଜାର ଟଙ୍କା ଦର ସରକାରଙ୍କ ଅନୁମୋଦିତ ମୂଲ୍ୟ ବୋଲି ସେମାନେ କହିଥିଲେ। ସମସ୍ତ କାର୍ଯ୍ୟ କାଉନସିଲ୍‌ ବୈଠକରେ ପ୍ରସ୍ତାବ ଗୃହୀତ ହୋଇ କରାଯାଇଥିବା ଓ ସେଥିରେ ଭାଜପା କାଉନସିଲରମାନେ ମଧ୍ୟ ସମର୍ଥନ ଦେଇଥିବା ଦାବି କରାଯାଇଛି।

ତଥାପି, ଝାରସୁଗୁଡା ମନ୍ଦିର ନାମରେ ୧.୫୭ କୋଟି ଟଙ୍କାର କାର୍ଯ୍ୟ ସମ୍ପାଦନ ସମ୍ବନ୍ଧୀୟ ଡିଟିସିଏନ୍‌ ନମ୍ବର ଉଲ୍ଲେଖ କରି ଇଓଙ୍କ ବିରୋଧରେ ମିଥ୍ୟା ବିଲ୍‌ ମାଧ୍ୟମରେ ସରକାରୀ ଅର୍ଥ ଆତ୍ମସାତ କରିବାର ଅଭିଯୋଗ ମଧ୍ୟ ଉଠାଯାଇଛି।

ଜିଲ୍ଲା ବିଜେଡି ପକ୍ଷରୁ ସଚେତନ କରାଯାଇଛି ଯେ, ଆସନ୍ତା ୭ ଦିନ ମଧ୍ୟରେ ଇଓଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପୌର ପରିଷଦ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳୀନ ଧାରଣା ଓ ଆନ୍ଦୋଳନ କରାଯିବ।

ଏହି ପ୍ରେସ ମିଟ୍‌ରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ପୌରାଧକ୍ଷା ରାନୀ ହାତୀ, ଜିଲ୍ଲା ଯୁବ ବିଜେଡି ସଭାପତି ରୋବିନ ପାଣ୍ଡେ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶିବାଶିଷ ପଟ୍ଟନାୟକ ଓ ଅନ୍ୟାନ୍ୟ କାଉନସିଲରମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.