ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦାବୀପତ୍ର ପ୍ରଦାନ

0

କେନ୍ଦୁଝର,ତା୪/୨- ଗାଁ ସାଥି ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, କେନ୍ଦୁଝର ଜିଲ୍ଲା ଶାଖା ତରଫରୁ କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ ଓ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀଙ୍କୁ ବୁଧବାର ଦିନ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ମନରେଗା ପ୍ରକଳ୍ପ ଗୁଡିକ ତୁରନ୍ତ ଚାଲୁ କରିବା ଓ ମେଟ୍‌ ମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରିବା ସଂପର୍କରେ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି। କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନରେ ବିଗତ ଅଗଷ୍ଟ ମାସଠାରୁ ଆଜି ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟ ବନ୍ଦ ରହିଛି। ଫଳରେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର,ବାଂଶପାଳ, ପାଟଣା,ଘଟଗାଁ, ସଦର,ତେଲକୋଇ ଓ ସାହାରପଡା ବ୍ଲକର ଆଦିବାସୀ ଦିନମଜୁରିଆ ଖଟିଖିଆ ଏବଂ ଗାଁ ସାଥି ମେଟମାନଙ୍କ ଜୀବନଜୀବିକା ପ୍ରଭାବିତ ହେବା ସହ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଫଳ ହେଉଛି। ଜବକାର୍ଡଧାରୀମାନଙ୍କୁ ରୋଜଗାର ନମିଳିବା ହେତୁ ବାହାର ରାଜ୍ୟ ତଥା ଜିଲ୍ଲା ବାହାରକୁ ଦାଦନ ଖଟିବାକୁ ଯାଇ ବହୁ ହଇରାଣ ହରକତ ହେଉଛନ୍ତି। ପୂର୍ବରୁ ଚାଲୁଥିବା ପ୍ରକଳ୍ପ ଗୁଡିକର କାମ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ମଜୁରୀ ମଧ୍ୟ ପ୍ରଦାନ କରାଯାଇନାହିଁ। ଫଳରେ ଅଣକୁଶଳୀ ଶ୍ରମିକମାନେ ଗାଁ ସାଥି ମେଟ୍ ମାନଙ୍କୁ ମଜୁରୀ ପ୍ରଦାନ ନିମନ୍ତେ ବାରମ୍ବାର ତାଗିଦ କରୁଛନ୍ତି। ଏହି ସମସ୍ୟା ଯୋଗୁଁ ଗାଁ ସାଥି ମେଟ ମାନେ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ କରିନପାରି ଗାଁରେ ଅପଦସ୍ତ ହେବା ସହ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଛନ୍ତି। ଉପରୋକ୍ତ ବିଷୟ ଗୁଡିକ ବିଚାର କରି ଯଥାଶୀଘ୍ର ପ୍ରକଳ୍ପ ଗୁଡିକ ଚାଲୁ କରିବାକୁ ଆଦେଶ ପ୍ରଦାନ କରାଗଲେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, ବାଂଶପାଳ,ପାଟଣା,ଘଟଗାଁ,ସଦର,ତେଲକୋଇ ଓ ସାହାରପଡା ବ୍ଲକ ଅଂଚଳର ଜବକାର୍ଡଧାରୀ ଶ୍ରମିକ ଓ କାର୍ଯ୍ୟରେ ନିୟୋଜିତ ସମସ୍ତ ମେଟ ମାନେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଲାଭ ପାଇବା ସହିତ ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିପାରନ୍ତେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିସହ ଏକ ବୈଠକ ସ୍ଥାନୀୟ ମଣ୍ଡୁଆ ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ହୋଇ ଥିଲା। ଆବାହକ ମନୋଜ କୁମାର ପଟେଲ ଙ୍କ ସଭାପତିତ୍ବ ରେ ଆୟୋଜିତ ଆଲୋଚନାଚକ୍ରରେ ବରିଷ୍ଠ ସଦସ୍ଯ ଖଗେଶ୍ୱର ନାଏକ ଜଗବନ୍ଧୁ ସର୍ଦ୍ଦାର ରଞ୍ଜିତା ନାଏକ ଡମ୍ବରୁଧର ଦେହୁରୀ ସୁମିତ୍ରା ଗିରି, ନରେନ୍ଦ୍ର କୁମାର ଦଳେଇ ପ୍ରମୁଖ ମଞ୍ଚାସିନ ହୋଇ ସରକାରଙ୍କର ନୂତନ ଚିଠିର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସରକାରଙ୍କ ନିଷ୍ପତିକୁ ସ୍ବାଗତ କରିଥିଲେ।

Leave A Reply

Your email address will not be published.