ଘେଁସ ବିଦେଶୀ ମଦ ଦୋକାନରେ ଖୋଲା ଲୁଟ୍‌ !!!

0

ପ୍ରିଣ୍ଟ ରେଟ୍‌ ଠାରୁ ୩୦ ଟଙ୍କା ଅଧିକ ଆଦାୟ ଅଭିଯୋଗ

ବିଜେପୁର : ବରଗଡ଼ ଜିଲ୍ଲା ଘେଁସ ସ୍ଥିତ ବିଦେଶୀ ମଦ ଦୋକାନରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଗୁରୁତର ଅଭିଯୋଗ ଉଠିଛି। ଦୋକାନରେ ଗୋଟିଏ କ୍ୱାଟର ମଦରେ ବୋତଲ ଉପରେ ମୁଦ୍ରିତ ଦର ଠାରୁ ୩୦ ଟଙ୍କାରୁ ଅଧିକ ଅବୈଧ ଭାବେ ଆଦାୟ କରାଯାଉଥିବାରୁ ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଗ୍ରାହକମାନଙ୍କ ଅଭିଯୋଗ ଅନୁଯାୟୀ, ମଦ ବୋତଲ ଉପରେ ପ୍ରିଣ୍ଟ ଦର ସ୍ପଷ୍ଟ ଭାବେ ଲେଖା ଥିଲେ ମଧ୍ୟ ଅତିରିକ୍ତ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି। ଯେଉଁ ଗ୍ରାହକ ପ୍ରତିବାଦ କରୁଛନ୍ତି, ସେମାନଙ୍କ ସହ ଦୁର୍ବ୍ୟବହାର କରାଯାଉଥିବା ସହ “ନେବାକୁ ହେଲେ ନିଅ, ନ ନେଲେ ଯାଅ” ଭଳି ଧମକପୂର୍ଣ୍ଣ ଭାଷା ବ୍ୟବହାର କରାଯାଉଥିବା ଅଭିଯୋଗ ମଧ୍ୟ ଆସିଛି।ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏହି ଅନିୟମ ଦୀର୍ଘ ଦିନ ଧରି ଚାଲିଥିବା ସତ୍ତ୍ୱେ ଆବକାରୀ ବିଭାଗ ଓ ସ୍ଥାନୀୟ ପ୍ରଶାସନର ନିରବତା। ପ୍ରଶାସନୀୟ ଆଶୀର୍ବାଦ ବିନା ଏଭଳି ଅବୈଧ ଆଦାୟ କିପରି ସମ୍ଭବ ଏନେଇ ସାଧାରଣ ଲୋକ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ତୁରନ୍ତ ତଦନ୍ତ, ଦୋକାନ ସିଲ୍‌ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶୀଘ୍ର ପଦକ୍ଷେପ ନ ନିଆଗଲେ ଆନ୍ଦୋଳନର ରାସ୍ତା ଧରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ଏନେଇ ସୋହେଲା ଆବକାରୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ନୂଆ ଦର ଆସିଥିବାରୁ ପୁରୁଣା ରେଟ୍‌ର ମଦ ଅଧିକ ଦରରେ କିଣାଯାଉଛି, ସେଥିପାଇଁ ଦର ବୃଦ୍ଧି ହୋଇଛି।” ତେବେ ବିଲ୍‌ ନ ଦିଆଯାଉଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, ଦୋକାନକୁ ତାଗିଦ୍‌ କରାଯାଇଛି ଏବଂ ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Leave A Reply

Your email address will not be published.