ମାଲ୍ୟବନ୍ତ ମହୋତ୍ସବ-୨୦୨୫,ତୃତୀୟ ସନ୍ଧ୍ୟାରେ ଜିଲ୍ଲା ପରିଷଦ ପ୍ରତିନିଧିଙ୍କ ଉପସ୍ଥିତି ଓ ସାଂସ୍କୃତିକ କଳାର ମହାକୁମ୍ଭ

0 1

 ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,:୪/୨/୨୬-ମାଲକାନଗିରି ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଆୟୋଜିତ ମାଲ୍ୟବନ୍ତ ମହୋତ୍ସବର ଆଜିର ତୃତୀୟ ସନ୍ଧ୍ୟା ଏକ ଭିନ୍ନ ସ୍ତରର ଉତ୍ସାହ ନେଇ ଆସିଛି। ଆଜିର ଏହି ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ଜନପ୍ରତିନିଧିମାନଙ୍କ ଉପସ୍ଥିତି କଳାକାର ଓ ଦର୍ଶକଙ୍କ ମଧ୍ୟରେ ଏକ ନୂଆ ଜୋସ୍ ଭରିଦେଇଛି। କାର୍ଯ୍ୟକ୍ରମର ପରିବେଷଣ ମଧ୍ୟରେ ଶାଶ୍ୱତ ଯୋଶୀ ଓ ଟିମ୍ ଲାସ୍ୟକଳାଙ୍କ ଓଡ଼ିଶୀ ନୃତ୍ୟ ସମସ୍ତଙ୍କୁ ବିଭୋର କରିଥିବା ବେଳେ, ବିମାରାଙ୍ଗିନୀର ‘ରିଞ୍ଜୋଡି ନୃତ୍ୟ’ ଓ ଗଦାଙ୍ଗିର ‘ଗଦାଙ୍ଗି ନୃତ୍ୟ’ ମାଧ୍ୟମରେ ଆମର ମାଟିର ବାସ୍ନା ପରିସ୍ଫୁଟ ହୋଇଛି।

ଏଥିସହ ପୋଟ୍ରେଲ ଏସ ଏସ ଡି ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀଙ୍କ ‘ସର୍ଗିଫୁଲ’ ନୃତ୍ୟ, ଆସାମର ଲୋକପ୍ରିୟ ‘ବିହୁ ନୃତ୍ୟ’ ଏବଂ ରାଜସ୍ଥାନର ଶାସ୍ତ୍ରୀୟ ‘ଘୁମର ନୃତ୍ୟ’ ମାଲକାନଗିରି ମଞ୍ଚରେ ଏକ ମିନି-ଇଣ୍ଡିଆର ପରିବେଶ ସୃଷ୍ଟି କରିଛି। ରାତିର ଶେଷ ଭାଗରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ, ସଚିନ ରାଉତ ଏବଂ ଶୀତଲ କୁନମୁନଙ୍କ ସଙ୍ଗୀତରେ ଦର୍ଶକମାନେ ଝୁମିଥିବା ବେଳେ ଆରୟାନ ଗ୍ରୁପ୍‌ର ଡ୍ୟାନ୍ସ ଏହି ଉତ୍ସବକୁ ଆହୁରି ଦୁର୍ଦ୍ଦାନ୍ତ କରିଦେଇଛି। ଜିଲ୍ଲା ପରିଷଦ ପ୍ରତିନିଧିମାନଙ୍କ ସହଯୋଗ ଓ ପ୍ରଶାସନର ଏହି ଅତୁଳନୀୟ ଆୟୋଜନ ସାରା ଜିଲ୍ଲାରେ ଏକ ଖୁସିର ଲହରୀ ଖେଳାଇ ଦେଇଛି।

Leave A Reply

Your email address will not be published.