ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ଶେଷରେ ଜଙ୍ଗଲ ଜମି ଓ ବୃକ୍ଷ ର ଯତ୍ନ ଓ ସୁରକ୍ଷା ର ଦାୟିତ୍ୱ ନେଲେ ଶ୍ରିପୁରା ଗ୍ରାମବାସୀ
ଝାରସୁଗୁଡା, ୨/୨, ଝାରସୁଗୁଡା ଜିଲ୍ଲା ସଦର ବ୍ଳକ ସ୍ଥିତ ଶ୍ରିପୁରା ଗ୍ରାମ ର ଶତାଧିକ ମହିଳା ପୁରୁଷ ସୋମବାର ସକାଳୁ ଏକଜୁଟ ହୋଇ ଏପିଶୀଳନ କମ୍ପାନୀ ବେଆଇନ ଭାବ ରେ ବ୍ୟବହାର କରୁଥିବା ଜଙ୍ଗଲ ଜମି ର ସୁରକ୍ଷା କରିବା ସହିତ ରୋପଣ କରିଥିବା ଏକ ହଜାର ବୃକ୍ଷ ର ଯତ୍ନ ନେଇ ପୁଣି କିଛି ନୂତନ ବୃକ୍ଷ ରୋପଣ କରିଛନ୍ତି |ଏହା ସହିତ ଆଜୀବନ କାଳ ପର୍ଯ୍ୟନ୍ତ ଉକ୍ତ ଜଙ୍ଗଲ ଜମି ଏବଂ ବୃକ୍ଷ ର ସୁରକ୍ଷା କରିବା ପାଇଁ ଗ୍ରାମବାସୀ ବଜ୍ର ଶପଥ ନେଇଛନ୍ତି |ଗତ କିଛି ମାସ ହେବ ଶ୍ରିପୁରା ଗ୍ରାମବାସୀ ଏପିଶୀଳନ କମ୍ପାନୀ ବେଆଇନ ଜଙ୍ଗଲ ଜମି ବ୍ୟବହାର ସହିତ ଜଙ୍ଗଲ ଜମି ରେ ବେଆଇନ ପାର୍କିଂ ସହିତ ଭାରୀଯାନ ଚଳାଚଳ କୁ ନେଇ ଝାରସୁଗୁଡା ଡି ଏଫ ଓ, ତହସିଲଦାର ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ |ଶ୍ରିପୁରା ଗ୍ରାମବାସୀ ଙ୍କ ତରଫରୁ ରାଷ୍ଟ୍ରପତି,କେନ୍ଦ୍ରୀୟ ମାନବ ଅଧିକାର କମିଶନ, ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ ପ୍ରଭୁତି ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା |ଗତ ୨୦୨୫ ମସିହା ନଭେମ୍ବର ୧୪ ତାରିଖ ରେ ଏହି ଜଙ୍ଗଲ ଜମି ବେଆଇନ ଦଖଲ ଘଟଣା ର ତଦନ୍ତ କରିବା ପାଇଁ ରାଜ୍ୟ ବନ ବିଭାଗ ରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ସେ ତଦନ୍ତ ନ କରି ନୀରବ ରହିଯାଇଥିଲେ |ଫଳ ରେ ଶ୍ରିପୁରା ଗ୍ରାମବାସୀ ଗତ ଜାନୁୟାରୀ ୨୫ ତାରିଖ ରେ ଶ୍ରିପୁରା ଗ୍ରାମପଞ୍ଚାୟତ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଙ୍କ ଅଧକ୍ଷତା ରେ ଏକ ଗ୍ରାମସଭା କରି ଜଙ୍ଗଲ ଜମି ଏବଂ ଏକ ହଜାର ବୃକ୍ଷ ଯତ୍ନ ଏବଂ ସୁରକ୍ଷା ପାଇଁ ଫେବୃଆରୀ ୨ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ସୋମବାର ସକାଳୁ ଶହ ଶହ ଶ୍ରିପୁରା ଗ୍ରାମବାସୀ ଏକଜୁଟ ହୋଇ ଉକ୍ତ ଜଙ୍ଗଲ ଜମିରେ ପୂର୍ବ ରୁ କମ୍ପାନୀ ଭାରୀଯାନ ଚଳାଚଳ ପାଇଁ ନଷ୍ଟ ହୋଇଥିବା ଗଛ ଗୁଡିକ ସ୍ଥାନ ରେ ବୃକ୍ଷ ରୋପଣ କରିଥିଲେ |ଗ୍ରାମବାସୀ ସମସ୍ତେ ମିଶି ଜଙ୍ଗଲ ଜମି ମଧ୍ୟ ଦେଇ ଯାଉଥିବା ଭାରୀଯାନ ଚଳାଚଳ କୁ ସମ୍ପୂର୍ଣ ବନ୍ଦ କରିଥିଲେ ଏବଂ ଏହା ସହିତ ସମସ୍ତ ବୃକ୍ଷ ଗୁଡିକ ରେ ପାଣି ଦେବା ସହିତ ନୂତନ ବୃକ୍ଷ ରୋପଣ କରିଥିଲେ |ଗ୍ରାମବାସୀ ଆଜିଠାରୁ ଜାତୀୟ ସମ୍ପତ୍ତି ତଥା ଗ୍ରାମ ର ଜଙ୍ଗଲ ଜମି କୁ କାହାରିକୁ ଦିଆ ନ ଯାଇ ଗ୍ରାମ ତଥା ଦେଶ ଜାତି ର କାର୍ଯ୍ୟ ପାଇଁ ବ୍ୟବହାର କରିବା, ଜଙ୍ଗଲ ଜମିରେ ନୂତନ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଆଦି କାର୍ଯ୍ୟ ରେ ଲଗାଇବା ପାଇଁ ବଜ୍ର ଶପଥ ନେଇଛନ୍ତି |ଏହି ଜଙ୍ଗଲ ଜମି ସୁରକ୍ଷା ଏବଂ ଏକ ହଜାର ବୃକ୍ଷ ର ଯତ୍ନ କାର୍ଯ୍ୟକ୍ରମ ରେ ଶ୍ରିପୁରା ଗ୍ରାମ ର ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ଭୋଇ, ଲୋକମୁକ୍ତି ସଙ୍ଘଠନ ର ଅନନ୍ତ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମିନତୀ ପାତ୍ର, ବିରଞ୍ଚି ମାଝୀ ଙ୍କ ସହିତ ଶ୍ରିପୁରା ଗ୍ରାମ ର ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ |